ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସୁଟରଙ୍କୁ ମଥୁରାରେ ହାଫ୍‌ ଏନ୍‌କାଉଣ୍ଟର, ହାସିମ୍‌ ବାବା ଗ୍ୟାଙ୍ଗ୍‌ ପାଇଁ ମଧ୍ୟ କରୁଥିଲେ କାମ

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଜଣେ ଶାର୍ପ ସୁଟରଙ୍କୁ ମଥୁରାରେ ହାଫ୍‌ ଏନ୍‌କାଉଣ୍ଟର କରାଯାଇଛି । ସେ ହାସିମ୍‌ ବାବା ଗ୍ୟାଙ୍ଗ୍‌ ପାଇଁ ମଧ୍ୟ କାମ କରୁଥିଲେ । ଦିଲ୍ଲୀରେ ଜିମ୍‌ ମାଲିକ ନାଦିର ଶାହଙ୍କ ହତ୍ୟା ମାମଲାରେ ପୋଲିସ ଏହି ଦ୍ୱିତୀୟ ସୁଟରଙ୍କୁ ଏନ୍‌କାଉଣ୍ଟର କରିବା ପରେ ଗିରଫ କରିଛି । ଏହା ପୂର୍ବରୁ ଅକ୍ଟୋବର ୧୨ରେ ପ୍ରଥମ ସୁଟରଙ୍କୁ ଦିଲ୍ଲୀରେ ଗିରଫ କରାଯାଇଥିଲା ।

ପୋଲିସ ଏନ୍‌କାଉଣ୍ଟରରେ ଆହତ ଶାର୍ପ ସୁଟର ହେଲେ ୟୁପି ବନ୍ଦାୟୁର ଯୋଗେଶ ଓରଫ୍‌ ରାଜୁ । ସେ ମଧ୍ୟ ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇ ଓ ହାସିମ୍‌ ବାବା ଗ୍ୟାଙ୍ଗ୍‌ ପାଇଁ କାମ କରୁଥିଲେ । ଏହା ପୂର୍ବରୁ ପୋଲିସ ଯୋଗେଶଙ୍କ ସହଯୋଗୀ ମଧୁରଙ୍କୁ ଏନ୍‌କାଉଣ୍ଟର ପରେ ଗିରଫ କରିଥିଲା ।

ମଥୁରାରେ ରାଜୁ କୌଣସି ଘଟଣା ଘଟାଇବାକୁ ପ୍ରସ୍ତୁତ ହେଉଥିବା ନେଇ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ସୂଚନା ମିଳିଥିଲା । ଏହାପରେ ସ୍ପେଶାଲ ସେଲ୍‌ ୟୁପିର ସ୍ଥାନୀୟ ପୋଲିସ ସହ ମିଶି ଜାଲ ବିଛାଇଥିଲା । ଜଣେ ଅଧିକାରୀ କହିଛନ୍ତି, ଭୋର୍‌ ପ୍ରାୟ ୪ଟାରେ ରେଳ ଷ୍ଟେସନ ନିକଟ ଆଗ୍ରା-ମଥୁରା ହାଇୱେ ସର୍ଭିସ ରୋଡ୍‌ରେ ରାଜୁ ବାଇକ୍‌ରେ ଯାଉଥିବାର ଦେଖାଯାଇଥିଲା ।

ଅଧିକାରୀ କହିଛନ୍ତି, ପୋଲିସ ଟିମ୍‌କୁ ଦେଖି ରାଜୁ ଗୁଳି ଚଳାଇଥିଲେ । ଏହାପରେ ପୋଲିସ ସେଲ୍ଫ ଡିଫେନ୍ସରେ ୨ ରାଉଣ୍ଡ ଫାୟାରିଂ କରିଥିଲା, ଯେଉଁଥିରେ ରାଜୁଙ୍କ ବାମ ଗୋଡ଼ରେ ଗୁଳି ବାଜିଥିଲା । ଆହତ ରାଜୁଙ୍କୁ ପୋଲିସ ହସ୍ପିଟାଲରେ ଭର୍ତ୍ତି କରିଛି । ପୋଲିସ ଘଟଣାସ୍ଥଳରୁ ପିସ୍ତଲ ଓ ଗୁଳି ସମେତ ଏକ ବାଇକ୍‌କୁ ଜବତ କରିଛି ।

କହି ରଖୁଛୁ, ଦିଲ୍ଲୀର ଗ୍ରେଟର କୈଲାଶ-୧ରେ ୩୫ ବର୍ଷୀୟ ଜିମ୍‌ ମାଲିକ ନାଦିର ଶାହଙ୍କୁ ତାଙ୍କ ଜିମ୍‌ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା । ପୋଲିସ କହିଛି ଯେ ସେପ୍ଟେମ୍ବର ୧୨ରେ ମଧୁର ଓ ରାଜୁ ମିଶି ଏହି କାଣ୍ଡ ଘଟାଇଥିଲେ ।

You might also like