ପତାକା ପାଇଁ ମୋଟା ଅଙ୍କର ଟଙ୍କା ଆଦାୟ କରିବ ରେଲୱେ, ପ୍ରତ୍ୟେକ କର୍ମଚାରୀଙ୍କ ଦରମାରୁ କଟିବ ପଇସା

ଏବେ ସାରା ଦେଶରେ ପାଳିତ ହେଉଛି ସ୍ୱାଧୀନତାର ଅମୃତ ମହୋତ୍ସବ। ହର ଘର ତ୍ରିରଙ୍ଗା ଅଭିଯାନରେ ରେଲୱେ କର୍ମଚାରୀଙ୍କୁ ଦିଆଯାଉଥିବା ପତାକାଙ୍କ ଦାମ୍‌ ଆଦାୟ କରାଯିବ। ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ରେଲୱେ କର୍ମଚାରୀଙ୍କୁ ତ୍ରିରଙ୍ଗା ପାଇଁ ଦରମାରୁ ୩୮ ଟଙ୍କା ଦେବାକୁ ହେବ। ଏହାକୁ ସେ ଘରେ ଉଡ଼ାଇ ପାରିବେ। ଏହି ତ୍ରିରଙ୍ଗା ତାଙ୍କୁ ରେଲୱେ ତରଫରୁ ଦିଆଯିବ।

ସୂଚନା ମୁତାବକ, ଏକ ବେସରକାରୀ ଏଜେନ୍ସି ଦ୍ୱାରା ଉପଲବ୍ଧ କରାଯାଉଥିବା ଜାତୀୟ ପତାକା ଅର୍ଥାତ୍‌ ତ୍ରିରଙ୍ଗାକୁ ରେଲୱେ ପକ୍ଷରୁ ବଣ୍ଟନ କରାଯାଉଛି। ଏହି ପତାକାର ଦାମ୍‌ ୩୮ ଟଙ୍କା ରଖାଯାଇଛି। ରେଲୱେ କର୍ମଚାରୀଙ୍କୁ ଏହି ତ୍ରିରଙ୍ଗା ନଗଦ ଟଙ୍କା ଦେଇ ନୁହେଁ ବରଂ ତାଙ୍କ ଦରମାରୁ ଏହି ଟଙ୍କା କଟାଯିବ ବୋଲି ଜଣାଯାଇଛି।

ଅନ୍ୟପଟେ ନର୍ଥ ସେଣ୍ଟ୍ରାଲ ରେଲୱେ କର୍ମଚାରୀ ସଂଘର ସଦସ୍ୟ ଏହାକୁ କଡ଼ା ବିରୋଧ କରିଛନ୍ତି। ମଣ୍ଡଳ ମନ୍ତ୍ରୀ ଚନ୍ଦନ ସିଂହଙ୍କ ମୁତାବକ, ଏହି ପତାକା କର୍ମଚାରୀ ଲାଭ କୋଷ ଅର୍ଥାତ୍‌ ଷ୍ଟାଫ୍‌ ବେନିଫିଟ୍‌ ଫଣ୍ଡ୍‌ରୁ କିଣାଯିବା ଉଚିତ୍‌ ଓ କର୍ମଚାରୀଙ୍କ ଦରମାରୁ ଟଙ୍କା ନ କାଟିବା ଦରକାର। ଏହା ବ୍ୟତୀତ ରେଲୱେ ସିପିଆରଓ ଶିବମ୍‌ ଶର୍ମାଙ୍କ ମୁତାବକ, ନିର୍ଦ୍ଦେଶ ହୋଇଛି ଯେ କର୍ମଚାରୀଙ୍କ ଦରମାରୁ ପତାକା ପାଇଁ ୩୮ ଟଙ୍କା କଟାଯିବ ଓ ଏହି ପତାକା ରେଲୱେ ପକ୍ଷରୁ ଉପଲବ୍ଧ କରାଯିବ।

ପ୍ରକାଶ ଯେ ଏହି ପତାକାର ଦାମ୍‌ ବିଜେପି ଅଫିସ୍‌ରେ ୨୦ ଟଙ୍କା ରଖାଯାଇଥିବା ବେଳେ ପ୍ରଧାନ ଡାକଘରରେ ଏହାକୁ ୨୫ ଟଙ୍କାରେ କିଣି ହେବ। ସ୍ୱୟଂ ସହାୟକ ସଂସ୍ଥାରେ ମଧ୍ୟ ଏହି ପତାକା ୨୦ ଟଙ୍କାରେ ମିଳୁଛି। ଫଳରେ ସେଠାରେ ପତାକା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି।

Also Read: ‘ମୋ ସାଙ୍ଗ ଭଳି କେହି ନାହାନ୍ତି କି ହେବେନି…’, ରାଷ୍ଟ୍ରପତି ଭବନରେ ରଜନୀକାନ୍ତଙ୍କୁ ଭେଟି ଏମିତି କହିଲେ ଅନୁପମ ଖେର

Leave A Reply

Your email address will not be published.