କଂଗ୍ରେସକୁ ଲାଗିଲା ଝଟକା, ଇସ୍ତଫା ଦେଲେ ହାର୍ଦ୍ଦିକ ପଟେଲ: ଟ୍ୱିଟ୍ କରି ଦେଲେ ସୂଚନା

ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ନିର୍ବାଚନ ପୁର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଗୁଜରାଟ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। ମଇ ୧୫ ରେ ଉଦୟପୁରରେ କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବିର ପରେ ଏହି ଖବର ଆସିଛି। ଚଳିତ ବର୍ଷ ଗୁଜୁରାଟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏଭଳି ପରିସ୍ଥିତିରେ, ନିର୍ବାଚନ ପୂର୍ବରୁ ଗୁଜୁରାଟ କଂଗ୍ରେସକୁ ଏକ ବଡ଼ ଧରଣର ଝଟକା ଲାଗିଛି। ହାର୍ଦ୍ଦିକ ପଟେଲ ଏକ ଟୁଇଟରେ ଏହି ସୂଚନା ଦେଇଛନ୍ତି।

ହାର୍ଦ୍ଦିକ ପଟେଲ ଟ୍ୱିଟ୍ କରି ଲେଖିଛନ୍ତି, “ଆଜି ମୁଁ ସାହସର ସହିତ କଂଗ୍ରେସ ପାର୍ଟିର ସମସ୍ତ ପଦବୀ ସହ ଦଳର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଉଛି, ମୁଁ ନିଶ୍ଚିତ ଯେ, ମୋର ନିଷ୍ପତ୍ତିକୁ ମୋର ସହକର୍ମୀ ଏବଂ ଗୁଜୁରାଟର ଲୋକମାନେ ସ୍ୱାଗତ କରିବେ। ମୋର ବିଶ୍ୱାସ ଯେ, ମୋର ଏହି ପଦକ୍ଷେପ ପରେ ମୁଁ ଭବିଷ୍ୟତରେ ଗୁଜୁରାଟ ପାଇଁ ସକାରାତ୍ମକ କାର୍ଯ୍ୟ କରିବାକୁ ସମର୍ଥ ହେବି।”

ଖବର ମୁତାବକ ହାର୍ଦ୍ଦିକ ପଟେଲଙ୍କୁ ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି କରାଯାଇଥିଲା। କିନ୍ତୁ କିଛି ସମୟ ଧରି ସେ କଂଗ୍ରେସ ନେତୃତ୍ୱ ଉପରେ ଅସନ୍ତୁଷ୍ଟ ରହିଥିଲେ। ଅନେକ ଥର ସେ ଖୋଲାଖୋଲି ଭାବେ ନିଜର ମତ ବ୍ୟକ୍ତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ କଂଗ୍ରେସରେ ତାଙ୍କର ଅବସ୍ଥା ଏପରି ହୋଇଛି ଯେମିତି ନୂଆ ବରକୁ ବର୍ଜନ କରାଯାଇଛି।