ହରିୟାଣା: ହରିୟାଣା ଆଇଜି ୱାଇ ପୁରନ କୁମାର କାହିଁକି ଜୀବନ ହାରି ଦେଲେ? ଏହି ପ୍ରଶ୍ନ ଏକ ରହସ୍ୟ ହୋଇ ରହିଛି । ସେ ଚାପରେ ଥିଲେ ନା କୌଣସି କାରଣରୁ ଡରିଥିଲେ? ତଦନ୍ତ ଆଗକୁ ବଢ଼ିବା ସହିତ ମାମଲାରେ ନୂଆ ମୋଡ଼ ସାମ୍ନାକୁ ଆସୁଛି । ଏବେ ଯାହା ସୂଚନା ଆସୁଛି ତାକୁ ନେଇ ସନ୍ଦେହ ଆହୁରି ଘନୀଭୂତ ହେବାରେ ଲାଗିଛି । ବରିଷ୍ଠ ଆଇପିଏସ ଅଧିକାରୀ ପୁରନ କୁମାର ଦୁର୍ନୀତି ମାମଲା ଯୋଗୁଁ ଭୟଭୀତ ହୋଇ ପଡ଼ିଥିଲେ ? ସେ କ’ଣ ମଦ, ଲାଞ୍ଚ ଏବଂ ଅଡିଓ କ୍ଲିପ୍ ଯୋଗୁଁ ଜୀବନ ହାରିଲେ କି ? ହରିୟାଣା ପୋଲିସ ମହାନିରୀକ୍ଷକ ୱାଇ ପୁରନ କୁମାର ମଙ୍ଗଳବାର ଦିନ ଚଣ୍ଡିଗଡ଼ର ସେକ୍ଟର-୧୧ ସ୍ଥିତ ତାଙ୍କ ବାସଭବନରେ ନିଜକୁ ଗୁଳି କରି ଜୀବନ ହାରିଥିବା ଅଭିଯୋଗ ହୋଇଛି । ତେବେ ତାଙ୍କ ଜୀବନ ହାରିବା ଘଟଣାକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ରୋହତକ ରେଞ୍ଜର ପୂର୍ବତନ ଆଇଜି ୱାଇ.ପୁରନ କୁମାରଙ୍କ ଗନମ୍ୟାନ୍ ସୁଶୀଲ କୁମାରଙ୍କ ବିରୋଧରେ ଏକ ଦୁର୍ନୀତି ମାମଲା ରୁଜୁ ହୋଇଥିଲା । ଗନମ୍ୟାନ୍ ସୁଶୀଲ କୁମାର ପୋଲିସ ହେପାଜତରେ ସ୍ୱୀକାର କରିଛନ୍ତି ଯେ ସେ ପୂର୍ବତନ ଆଇଜିଙ୍କ ନିର୍ଦ୍ଦେଶରେ ମାସିକ ଲାଞ୍ଚ ମାଗିଥିଲେ । ଦୁଇ ଦିନ ପୂର୍ବରୁ ଏ ନେଇ ରୋହତକର ଅର୍ବାନ୍ ଇଷ୍ଟେଟ୍ ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ ହୋଇଥିଲା । ଏହି ଏଫଆଇଆର ରୋହତକ ରେଞ୍ଜର ପୂର୍ବତନ ଆଇଜି ୱାଇ.ପୁରନ କୁମାରଙ୍କ ଗନମ୍ୟାନ୍ ସୁଶୀଲ କୁମାରଙ୍କ ବିରୋଧରେ ଥିଲା । ଏଥିରେ ସୁଶୀଲ କୁମାରଙ୍କ ଉପରେ ଜଣେ ମଦ ବ୍ୟବସାୟୀଙ୍କଠାରୁ ଲାଞ୍ଚ ଦାବି କରିବାର ଅଭିଯୋଗ ହୋଇଥିଲା ।
ରୋହତକ ପୋଲିସ ସୂତ୍ରରୁ ଜଣାପଡିଛି ଯେ ପୁରନ କୁମାରଙ୍କ ଗନମ୍ୟାନ୍ ସୁଶୀଲ ଜଣେ ମଦ ବ୍ୟବସାୟୀଙ୍କଠାରୁ ମାସିକ ୨ରୁ ଅଢ଼େଇ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲା। ଏକ ଅଡିଓ କ୍ଲିପ୍ ଉଦ୍ଧାର ହେବା ପରେ ସୁଶୀଲକୁ ଗିରଫ କରାଯାଇଥିଲା । ପଚରା ଉଚରା ସମୟରେ ସୁଶୀଲ ପୁରନ କୁମାରଙ୍କ ନାମ ନେଇଥିଲେ । ରୋହତକ ପୋଲିସ ମଙ୍ଗଳବାର ସନ୍ଧ୍ୟାରେ ସୁଶୀଲଙ୍କୁ କୋର୍ଟରେ ହାଜର କରି ବିଚାର ବିଭାଗୀୟ ହାଜତରେ ରଖିଥିଲା ।
ଏହି ସମୟରେ, ସେପ୍ଟେମ୍ବର ୨୯ ତାରିଖରେ ସରକାର ରୋହତକ ରେଞ୍ଜର ଆଇଜି ପଦରୁ ପୂରନ କୁମାରଙ୍କୁ ହଟାଇ ଦେଇଥିଲେ । ତାଙ୍କୁ ସୁନାରିଆର ପୋଲିସ ତାଲିମ ମହାବିଦ୍ୟାଳୟର ଆଇଜି ଭାବେ ନିଯୁକ୍ତ କରିଥିଲେ। ଏହି ସ୍ଥାନାନ୍ତରକୁ ପୋଲିସ ବିଭାଗ ଭିତରେ ଏକ ପ୍ରକାର ଦଣ୍ଡ ଭାବରେ ବିବେଚନା କରାଯାଇ ଥିଲା। ପୋଲିସ ଅନୁଯାୟୀ, ମୃତ ଅଧିକାରୀଙ୍କ ବାସଭବନରୁ ଏକ ଇଚ୍ଛାପତ୍ର ଏବଂ ଶେଷ ଚିଠି ଉଦ୍ଧାର କରାଯାଇଛି। ପୋଲିସ କହିଛି ଯେ ପୁରନ କୁମାର ତାଙ୍କ ସର୍ଭିସ୍ ରିଭଲଭରରେ ନିଜକୁ ଗୁଳି କରିଥିବା ଅଭିଯୋଗ ହୋଇଛି। ପୁରନଙ୍କ ଝିଅ ତାଙ୍କ ମୃତଦେହ ବେସମେଣ୍ଟରେ ପାଇଥିଲେ। ତଥାପି, ଘଟଣାସ୍ଥଳରୁ ଜୀବନ ହାରିବା ନେଇ କୌଣସି ନୋଟ୍ ମିଳି ନାହିଁ।
ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଜୀବନ ହାରିବାର ପ୍ରକୃତ କାରଣ ନିର୍ଣ୍ଣୟ କରିବା ପାଇଁ ପ୍ରୟାସ ଚାଲିଛି। ସମସ୍ତ ସମ୍ଭାବ୍ୟ ଦିଗକୁ ଯାଞ୍ଚ କରାଯାଉଛି। ଖୁବ୍ ଶୀଘ୍ର ଏକ ନିରପେକ୍ଷ ତଦନ୍ତ କରାଯିବ। ପୋଲିସ ପ୍ରଶାସନ ଗୁଜବ ଉପରେ ଧ୍ୟାନ ନଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ପୁରନଙ୍କ ପତ୍ନୀ ଅମନୀତ ପି. କୁମାର ଜଣେ ଆଇଏଏସ୍ ଅଫିସର । ସେ ଏବେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟାବ ସିଂ ସଇନିଙ୍କ ସହିତ ଏକ ପ୍ରତିନିଧି ଦଳରେ ଜାପାନ୍ ଯାଇଛନ୍ତି । ପୁରନ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ସିଂହ ଘଟଣାରେ ବିବାଦୀୟ ହୋଇ ପଡ଼ିଥିଲେ ।
Also Read: ପାକିସ୍ତାନୀ ପାରାମିଲିଟାରୀ ଯବାନଙ୍କ ଗାଡ଼ି ଉପରେ ଟିଟିପିର ଆକ୍ରମଣ, ୧୧ ମୃତ