ଭୋଟ ଦେଉଛି ହରିଆଣା : ୯୦ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କାହାର ହେବ ହରିଆଣା ? ବିଜେପି କ୍ଷମତା ବଜାୟ ରଖିବ ନା କଂଗ୍ରେସ କ୍ଷମତାକୁ ଫେରିବ ? ଆଜି ଭୋଟ ଦେଉଛି ହରିଆଣା । ହିନ୍ଦି ହାର୍ଟଲ୍ୟାଣ୍ଡର ଅନ୍ୟତମ ରାଜ୍ୟ ହରିଆଣାର ୨ କୋଟିରୁ ଅଧିକ ଭୋଟର ସାବ୍ୟସ୍ତ କରିବେ ନିଜ ମତାଧିକାର । ମଇଦାନରେ ଅଛନ୍ତି କ୍ରୀଡାବିତଙ୍କ ଠାରୁ ଅଭିଜ୍ଞ ରାଜନେତା । ରାଜ୍ୟର ସମସ୍ତ ୯୦ଟି ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ । ସକାଳ ୭ଟାରୁ ସନ୍ଧ୍ୟା ୬ ଯାଏଁ ହେବ ମତଦାନ । ୯୦ଟି ବିଧାସଭା ଆସନ ମଧ୍ୟରୁ ୭୩ଟି ଆସନ ସାଧାରଣ ବର୍ଗ ପାଇଁ ଥିବାବେଳେ ୧୭ଟି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ସମୁଦାୟ ୨୦ ହଜାର ୬୩୨ଟି ପୋଲିଂ ବୁଥରେ ମତଦାନ ସାବ୍ୟସ୍ତ କରିବେ ଭୋଟର। ବୁଥ ସାମ୍ନାରେ ଧାଡ଼ି ଆରମ୍ଭ ହୋଇ ସାରିଛି। କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ୩୦ ହଜାର ପୋଲିସ କର୍ମଚାରୀ ଏବଂ ୨୨୫ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛନ୍ତି।
ହରିଆଣାର ୨ କୋଟିରୁ ଅଧିକ ମତଦାତା ନିର୍ଦ୍ଧାରଣ କରିବେ ୧୦୩୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ଏଥିରେ ରହିଛନ୍ତି ୯୩୦ ଜଣ ପୁରୁଷ ଓ ୧୦୧ ଜଣ ମହିଳା ପ୍ରାର୍ଥୀ । ଚଳିତ ବିଧାନସଭା ନିର୍ବାଚନରେ ହରିଆଣା ମୁଖ୍ୟମନ୍ତ୍ରୀ ନାୟାବ ସିଂ ସୈନି, ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା, ଭାରତୀୟ ଜାତୀୟ ଲୋକଦଳ ବା ଆଇଏନଏଲଡି ନେତା ଅଭୟ ସିଂ ଚୌତାଲା, ଜନନାୟକ ଜନତା ପାର୍ଟି ବା ଜେଜେପି ନେତା ଦୁଷ୍ୟନ୍ତ ଚୌତାଲା, ବରିଷ୍ଠ ବିଜେପି ନେତା ଅନୀଲ ଭିଜ ଓ କଂଗ୍ରେସ ନେତ୍ରୀ ତଥା ପୂର୍ବତନ କୁସ୍ତିଯୋଦ୍ଧା ଭିନେଶ ଫୋଗଟ, ସ୍ୱାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ ପ୍ରମୁଖଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ହରିଆଣା ଭୋଟର । କଂଗ୍ରେସ ଓ ବିଜେପି ମଧ୍ୟରେ ଦ୍ବିମୁଖୀ ପ୍ରତିଦ୍ବନ୍ଦିତା ହେଉଛି । ବିଜେପି କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ଦଖଲ ଲକ୍ଷ୍ୟ ରଖିଥିବା ବେଳେ କ୍ଷମତାକୁ ଫେରିବା ଲକ୍ଷ୍ୟ ରଖିଛି କଂଗ୍ରେସ ।