ହରିୟାଣା କ୍ରୀଡା ମନ୍ତ୍ରୀଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ, ଇସ୍ତଫା ଦେଲେ ସନ୍ଦୀପ ସିଂହ

ଇସ୍ତଫା ଦେଲେ ହରିୟାଣା କ୍ରୀଡା ମନ୍ତ୍ରୀ ସନ୍ଦୀପ ସିଂହ। ଜୁନିଅର ମହିଳା କୋଚ୍ ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିବା ପରେ ସେ ନିଜ ଇସ୍ତଫା ଘୋଷଣା କରିଛନ୍ତି। ଏଥିସହ ଖେଳ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କୁ ସେ ହସ୍ତାନ୍ତର କରିଛନ୍ତି। ତାଙ୍କ ଉପରେ ଲାଗିଥିବା ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି । ସେପଟେ ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଡିଜିପି ତିନି ଜଣିଆ ଏସ୍ଆଇଟି ଗଠନ କରିଛନ୍ତି। ସନ୍ଦୀପଙ୍କ ବିରୋଧରେ ସେକ୍ଟର ୨୬ରେ ଆଇପିସି ଧାରା ୩୫୪, ୩୫୪ ଏ, ୩୫୪ ବି, ୩୪୨, ୫୦୬ ଲାଗିଛି ।

ସୂଚନା ମୁତାବକ, ଜୁନିଅର ଆଥଲେଟିକ୍ସର ମହିଳା କୋଚ୍ ଚଣ୍ଡିଗଡ ଏସ୍ପିଙ୍କୁ ଭେଟି କ୍ରୀଡା ମନ୍ତ୍ରୀ ସନ୍ଦୀପ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ। ସନ୍ଦୀପ ଇନ୍ଷ୍ଟାଗ୍ରାମ ଓ ସ୍ନାପଚାଟରେ ତାଙ୍କୁ ମେସେଜ ପଠାଇ ଡକ୍ୟୁମେଣ୍ଟ ଦେବା ବାହାନରେ ସମ୍ପୃକ୍ତ ମହିଳାଙ୍କୁ ତାଙ୍କ ଘରକୁ ଡାକିଥିଲେ। ଚଣ୍ଡିଗଡ ସେକ୍ଟର-୨୬ ପୁଲିସ ଏହି ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।

ଜୁନିଅର ଆଥଲେଟିକ୍ସ ବିଭାଗ ମହିଳା କୋଚ୍ ଆଣିଥିବା ଅଭିଯୋଗକୁ ସନ୍ଦୀପ ସିଂହ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, ତାଙ୍କ ଛବି ଖରାପ କରିବାକୁ ଚେଷ୍ଟା ଚାଲିଛି। ବହୁତ କମ୍‌ ବୟସରୁ ଅଲିମ୍ପିକ ଖେଳିଛି । କମ୍‌ ବୟସରେ ଭାରତର ହକି ଟିମର ଅଧିନାୟକ ମଧ୍ୟ ହୋଇଛି । ରାଜନୈତିକ ଷଡଯନ୍ତ୍ର କରାଯାଇ ତାଙ୍କୁ ଫସାଯାଇଛି । ତାଙ୍କ ଉପରେ ଲାଗିଥିବା ମିଥ୍ୟା ଅଭିଯୋଗର କଡା ତଦନ୍ତ ହେବ ବୋଲି ତାଙ୍କୁ ବିଶ୍ୱାସ। ତଦନ୍ତ ରିପୋର୍ଟ ଆସିବା ଯାଏଁ ଖେଳ ବିଭାଗର ଦାୟିତ୍ୱ ସେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଥିବା ସେ କହିଛନ୍ତି। ଜଣେ ଖେଳାଳି ହିସାବରେ ପରସ୍ପରର ସହାୟତା କରିବା ବଦଳରେ ମୋ ଉପରେ ଏଭଳି ଅଭିଯୋଗ ଭିତ୍ତିହୀନ ।

ଅନ୍ୟପଟେ କ୍ରୀଡା ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳା କୋଚ୍ ହରିୟାଣା ଗୃହ ମନ୍ତ୍ରୀ ଅନିଲ ବିଜଙ୍କୁ ଭେଟିଛନ୍ତି। ପୀଡିତା ଜଣକଙ୍କ ଗୃହମନ୍ତ୍ରୀଙ୍କୁ ନିଜ ଦୁଃଖ ବଖାଣିଛନ୍ତି। ମନ୍ତ୍ରୀ ମଧ୍ୟ ମାମଲାର ଗଭୀର ତଦନ୍ତ କରାଯିବ ବୋଲି ପୀଡିତାଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.