ହାଥରସ୍‌ ଦଳାଚକଟା: ମୃତ୍ୟୁସଂଖ୍ୟା ୧୦୦ ପାର, ବଢିପାରେ ମୃତକଙ୍କ ସଂଖ୍ୟା , ଯାଞ୍ଚ ପାଇଁ କମିଟି ଗଠନ

ଉତ୍ତର ପ୍ରଦେଶର ହାଥରସରେ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୧୦୦ ପାର କରିଛି । ଏଥିରେ ଅଧିକାଂଶ ମହିଳା ରହିଛନ୍ତି । ଘଟଣା ପରେ ଚାରିଆଡେ ଚିତ୍କାର ଶୁଣାଯାଇଥିଲା । ଏକ ସତସଙ୍ଗ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଦଳାଚକଟା ହୋଇ ୧୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ହାଥରସର ରତିଭାନପୁରରେ ଚାଲିଥିବା ଭୋଳାବାବା ସତସଙ୍ଗ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ହୋଇଥିଲା, ଭିଡ ଯୋଗୁଁ ଅଣନିଶ୍ୱାସୀ ହୋଇଥିଲେ ଲୋକେ, ଯେଉଁ କାରଣରୁ ଏଭଳି ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସୂଚନା ମୁତାବକ, ନାରାୟଣ ବିଶ୍ୱହରି ଭୋଳା ବାବା ଏଠାରେ ଏକ ଧାର୍ମିକ ସତସଙ୍ଗ କାର୍ଯ୍ୟକ୍ରମ ଚାଲିଥିଲା । ଏହାର ସମାପନ ସମୟରେ ପ୍ରବଳ ଭିଡ଼ ହେତୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ହୋଇଥିଲା, ଭିଡ ଯୋଗୁଁ ଅଣନିଶ୍ୱାସୀ ହୋଇଥିଲେ ଲୋକେ, ଯେଉଁ କାରଣରୁ ଏଭଳି ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସ୍ ଘଟଣା ବିଷୟରେ ଅବଗତ ହୋଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ) ଦୀପକ କୁମାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ଯାଞ୍ଚ ପାଇଁ ଏକ ଟିମ୍‌ ଗଠନ କରିଛନ୍ତି । ଉଦ୍ଧାର କାର୍ଯ୍ୟ ତୁରନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଆହତମାନଙ୍କ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।