ବିକ୍ରି ହେବ ସୁକେଶ ଚନ୍ଦ୍ରଶେଖରଙ୍କର ୨୬ ବିଳାସପୂର୍ଣ୍ଣ କାର୍‌, ପତ୍ନୀଙ୍କ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

୨୦୦ କୋଟି ଠକେଇ ମାମଲାର ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ପତ୍ନୀ ଲୀନା ପାଲୋଜାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଛି ବଡ଼ ଝଟ୍‌କା । କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି । ନିମ୍ନ ଅଦାଲତ ଇଡିକୁ ଅନୁମତି ପ୍ରଦାନ କରି ସୁକେଶଙ୍କ ବିଳାସପୂର୍ଣ୍ଣ କାର୍‌ଗୁଡ଼ିକର ନିଲାମୀ ପାଇଁ ଯେଉଁ ଆଦେଶ ଦେଇଥିଲେ, ତାହାକୁ ବଳବତ୍ତର ରଖିଛନ୍ତି ହାଇକୋର୍ଟ । କାର୍‌ଗୁଡ଼ିକର ନିଲାମୀ ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି ।

ଅପରାଧର ଆୟରୁ ସୁକେଶ ଏହି ସମସ୍ତ ୨୬ଟି ବିଳାସପୂର୍ଣ୍ଣ କାର୍‌ କିଣିଥିଲେ । ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ପରେ ଏହି ଗାଡ଼ିଗୁଡ଼ିକ ଖରାପ ହୋଇଯିବ । ତେଣୁ ଏଗୁଡ଼ିକୁ ବର୍ତ୍ତମାନ ନିଲାମ କରିବା ଭଲ ହେବ ବୋଲି କୋର୍ଟ କହିଛନ୍ତି ।

ଦିଲ୍ଲୀ ହାଇକୋର୍ଟଙ୍କ ଜଷ୍ଟିସ୍‌ ସ୍ୱର୍ଣ୍ଣକାନ୍ତା ଶର୍ମାଙ୍କ ବେଞ୍ଚ୍‌ କହିଛନ୍ତି, ଯଦି ଗାଡ଼ିଗୁଡ଼ିକୁ ଦୀର୍ଘ ସମୟ ଧରି କଣ୍ଟେନର ଗୋଦାମରେ ରଖାଯିବ, ତେବେ ସେଗୁଡ଼ିକ ଖରାପ ହେବାର ଆଶଙ୍କା ରହିଛି । ଅନେକ ବର୍ଷ ଧରି ପଡ଼ିରହିବା ଦ୍ୱାରା ସେଥିରେ କଳଙ୍କି ଲାଗିପାରେ, ଯଦ୍ଦ୍ଵାରା ତାହା କବାଡ଼ିଆ ହୋଇଯିବ ଏବଂ ଏହି କାରଣରୁ ମହଙ୍ଗା କାର୍‌ଗୁଡ଼ିକର ଅଧିକ କ୍ଷତି ହୋଇପାରେ । କୋର୍ଟ କହିଛନ୍ତି, ରେଞ୍ଜ ରୋଭର୍‌, ଫରାରୀ ଓ ରୋଲ୍ସ ରଏସ୍‌ ଭଳି ମହଙ୍ଗା କାର୍‌ଗୁଡ଼ିକର ରକ୍ଷଣାବେକ୍ଷଣ ବି ଅଧିକ ହୋଇଥାଏ ।

ସେପଟେ ଇଡିକୁ କୋର୍ଟ କହିଛନ୍ତି ଯେ କାର୍‌ଗୁଡ଼ିକର ବିକ୍ରିରୁ ଯେଉଁ ଟଙ୍କା ଆସିବ, ସେହି ରାଶିକୁ ଫିକ୍ସଡ ଡିପୋଜିଟ୍‌ (FD)ରେ ଜମା କରାଯିବ । କହି ରଖୁଛୁ, ହାଇକୋର୍ଟଙ୍କ ପୂର୍ବରୁ ନିମ୍ନ ଅଦାଲତ ଏହି କାର୍‌ଗୁଡ଼ିକୁ ବିକ୍ରି ପାଇଁ ଇଡିକୁ ଅନୁମତି ଦେଇଥିଲ ।

You might also like