ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ନାକରୁ ବୋହିଲା ରକ୍ତ, ହସପିଟାଲରେ ହେଲେ ଭର୍ତ୍ତି

ସାମ୍ବାଦିକ ସମ୍ମିଳନୀ ଚାଲିଥିବା ବେଳେ ହଠାତ୍ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କ ନାକରୁ ବାହାରିଲା ରକ୍ତ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ସୂଚନା ମିଳିଛି ।

ରବିବାର ବେଙ୍ଗାଲୁରୁରେ ବିଜେପି-ଜେଡିଏ ନେତାଙ୍କ ଏକ ବୈଠକ ପରେ କୁମାରସ୍ୱାମୀ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରୁଥିଲେ । ଏହି ସମୟରେ ହଠାତ୍ ତାଙ୍କ ନାକରୁ ରକ୍ତ ବୋହିବାକୁ ଲାଗିଥିଲା । ସେ ତାଙ୍କ ନାକକୁ ଏକ କପଡ଼ାରେ ଚାପି ଧରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା । ପରେ ତୁରନ୍ତ ତାଙ୍କୁ ଜୟନଗର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ତାଙ୍କ ହସ୍ପିଟାଲରୁ ଡିସଚାର୍ଜ ମିଳିଥିବା ସୂଚନା ମିଳିଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି । ତେବେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ବାପା ବିଶ୍ରାମ ନେଇପାରୁନାହାନ୍ତି ବୋଲି କୁମାରସ୍ୱାମୀଙ୍କ ପୁଅ କହିଛନ୍ତି ।

ତେବେ କୁମାରସ୍ୱାମୀ କହିଛନ୍ତି, ‘ମୁଁ ତିନିଥର ହାର୍ଟ ଭଲଭ୍‌ ରିପ୍ଲେସମେଣ୍ଟ ସର୍ଜରୀ କରିସାରିଛି । ବ୍ଲଡ୍ କ୍ଲଟ ନ ହେବା ପାଇଁ ମୁଁ ରକ୍ତ ପତଳା ରହିବା ଲାଗି ମେଡିସିନ୍ ଖାଉଛି । ଯେତେବେଳେ ମୁଁ ଚାପଗ୍ରସ୍ତ ହୁଏ, ଏବଂ ମୁଁ ଯଥେଷ୍ଟ ବିଶ୍ରାମ ନିଏ ନାହିଁ ସେତେବେଳେ ମୋ ନାକରୁ ରକ୍ତସ୍ରାବ ହୋଇଥାଏ । ଏହା ମୋ ପାଇଁ ସାଧାରଣ କଥା । ଡାକ୍ତରମାନେ ମୋତେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଏଥିଲାଗି ଦଳର କର୍ମୀ ଏବଂ ସମର୍ଥକଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛନ୍ତି ।’

You might also like