ଡେଙ୍ଗୁ, ମ୍ୟାଲେରିଆ ବଢ଼ୁଛି; ଆନ୍ଦୋଳନରତ ଡାକ୍ତରଙ୍କୁ ଡ୍ୟୁଟିକୁ ଫେରିବାକୁ ଅନୁରୋଧ କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଆଜି ଦେଶବ୍ୟାପୀ ଆନ୍ଦୋଳନରତ ଡାକ୍ତରଙ୍କୁ ଡ୍ୟୁଟିକୁ ଫେରିବାକୁ ଅପିଲ୍‌ କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ କମିଟି ଗଠନ କରାଯିବ ବୋଲି ମନ୍ତ୍ରଣାଳୟ କହିଛି । ଜନସାଧାରଣଙ୍କ ସ୍ୱାର୍ଥ ତଥା ଡେଙ୍ଗୁ ଓ ମ୍ୟାଲେରିଆ ବୃଦ୍ଧିକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ଆନ୍ଦୋଳନରତ ଡାକ୍ତରମାନଙ୍କୁ ଡ୍ୟୁଟିକୁ ଫେରିବାକୁ ଅନୁରୋଧ କରିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତରମାନଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

କୋଲକାତାର ଏକ ସରକାରୀ ମେଡିକାଲ କଲେଜରେ ଜଣେ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ବିରୋଧରେ ଆଜି ସାରା ଦେଶରେ ଆନ୍ଦୋଳନ ଡାକରା ଦେଇଛି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) । ଦେଶର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଡାକ୍ତରମାନେ ୨୪ ଘଣ୍ଟିଆ ହରତାଳରେ ବସିଛନ୍ତି । ସେମାନଙ୍କ ଦ୍ୱାରା ଦେଶବ୍ୟାପୀ କାର୍ଯ୍ୟ ବନ୍ଦ ଏବଂ ବିରୋଧ ପ୍ରଦର୍ଶନ ଶନିବାର ସକାଳୁ ଆରମ୍ଭ ହୋଇଛି । ଡାକ୍ତରୀ ସଂସ୍ଥା କହିଛି ଯେ ହରତାଳ ସମୟରେ ଅତ୍ୟାବଶ୍ୟକ ସେବା ଏବଂ କାଜୁଆଲିଟି ୱାର୍ଡ ଚାଲୁ ରହିବ । ଓପିଡି କାମ କରିବ ନାହିଁ । ଇଲେକ୍ଟିଭ୍ ସର୍ଜରୀ କରାଯିବ ନାହିଁ ।

ସୂଚନାଥାଉ କି, ମହିଳା ଡାକ୍ତରଙ୍କୁ ପ୍ରଥମେ ଦୁଷ୍କର୍ମ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପୋଲିସ ଏହି ମାମଲାରେ ଖୋଳତାଡ ଜାରି ରଖିଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ଜଣଙ୍କୁ ଗିରଫ କରିଛି । ମୃତ ଡାକ୍ତରାଣୀ କଲେଜ ସେମିନାର ହଲ୍‌ରେ ଅଚେତ ଅବସ୍ଥାରେ ମିଳିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

You might also like