ବାପାଙ୍କ ଫଟୋରେ ମାଳା ଚଢ଼ାଉଥିବା ବେଳେ ହୃଦ୍‌ଘାତ, ନିଜ ଜନ୍ମଦିନରେ ହିଁ ଚାଲିଗଲେ ପୂର୍ବତନ ବିଧାୟକ

ନିଜର ୫୯ତମ ଜନ୍ମଦିନରେ ହିଁ ଡିଏମକେର ପୂର୍ବତନ ବିଧାୟକ ଭୀରାପାଣ୍ଡି ଏ ରାଜାଙ୍କ ଦେହାନ୍ତ ହୋଇଯାଇଛି। ଶନିବାର ସେ ତାଙ୍କ ଦିବଂଗତ ବାପା ତଥା ପୂର୍ବତନ ମନ୍ତ୍ରୀ ଭୀରାପାଣ୍ଡି ଏ ଅରୁମୁଗମଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରୁଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ଏ ରାଜାଙ୍କର ପତ୍ନୀ ଏବଂ ଦୁଇ ଝିଅ ଅଛନ୍ତି।

ପରିବାର ସୂତ୍ରରୁ ପ୍ରକାଶ ଯେ ରାଜା ତାଙ୍କ ବାପାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସମୟରେ ହଠାତ୍‌ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠି ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜା ୨୦୦୬ରେ ଭୀରାପାଣ୍ଡିରୁ ତାମିଲନାଡୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ସେତେବେଳେ ସାଲେମ ଜିଲ୍ଲାରେ ଦଳର ନିର୍ବାଚନ କମିଟି ସଚିବ ଥିଲେ। ୧୯୮୨ ମସିହାରେ ସେ ଡିଏମକେରେ ଯୋଗ ଦେଇଥିଲେ ଏବଂ ସେବେଠାରୁ ଦଳରେ ବିଭିନ୍ନ ପଦବୀରେ ରହିଆସିଛନ୍ତି।

ଡିଏମକେ ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଏମ.କେ ଷ୍ଟାଲିନ ଏବଂ ତାଙ୍କ କ୍ୟାବିନେଟ ସହକର୍ମୀମାନେ ପୂର୍ବତନ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଷ୍ଟାଲିନ ତାଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.