ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର ଆଲର୍ଟ ଜାରି, ସ୍ଥଗିତ ରହିଲା ଚାରିଧାମ ଯାତ୍ରା

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା । ସତର୍କତା ଦୃଷ୍ଟିରୁ ଏଠାରେ ଚାରିଧାମ ଯାତ୍ରାକୁ ରବିବାର ସ୍ଥଗିତ ରଖାଯାଇଛି । ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସ୍ଥିତିକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଗଡ଼ଓ୍ଵାଲ କମିଶନର ବିନୟ ଶଙ୍କର ପାଣ୍ଡେ କହିଛନ୍ତି ।

ପାଣିପାଗ ବିଭାଗ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛି । ଜୁଲାଇ ୭ ଓ ୮ରେ ସୁରକ୍ଷିତ ସ୍ଥାନରେ ରହିବାକୁ ଏବଂ ବାହାରକୁ ନ ବାହାରିବାକୁ ଚାରିଧାମ ତୀର୍ଥଯାତ୍ରୀଙ୍କୁ ପ୍ରଶାସନ ନିବେଦନ କରିଛି ।

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବାର ରେଡ୍ ଆଲର୍ଟକୁ ଦର୍ଶାଇ ପ୍ରଶାସନ କହିଛି ଯେ ଋଷିକେଶରେ ଯେଉଁଠାରେ ଅଛନ୍ତି, ସେଠି ସୁରକ୍ଷିତ ସ୍ଥାନ ଦେଖି ରହିଯାଆନ୍ତୁ । ସେହିଭଳି ଯେଉଁମାନେ ଋଷିକେଶରୁ ଚାରିଧାମ ଯାତ୍ରାରେ ବାହାରି ଯାଇଛନ୍ତି, ସେମାନେ ମଧ୍ୟ ସତର୍କ ରହିବା ଉଚିତ୍ ।

ଆଜି ଉତ୍ତରାଖଣ୍ଡର ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଚାରିଧାମ ଯାତ୍ରା ଉପରେ ଗୋଟିଏ ଦିନର ପ୍ରତିବନ୍ଧକ ଲଗାଯାଇଛି । ୨୦ରୁ ଅଧିକ ସହର ପାଇଁ ପ୍ରବଳ ବର୍ଷାର ଚେତାବନୀ ଜାରି କରାଯାଇଛି । କମିଶନର ବିନୟ ଶଙ୍କର ପାଣ୍ଡେ କହିଛନ୍ତି, ରେଡ୍ ଆଲର୍ଟ ରହିଛି । ଚାରିଧାମ ଯାତ୍ରାକୁ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି ।

You might also like