ହିମାଚଳରେ ବର୍ଷା ତାଣ୍ଡବ: ଉନ୍ନାରେ ଭାଙ୍ଗିଲା ପୋଲ, ଅଟଳ ଟନେଲ ପାଖରେ ଭୂସ୍ଖଳନ, ମନାଲି ହାଇୱେ ବନ୍ଦ

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଶିମଲା ରାମପୁରରେ ବାଦଲ ଫଟା ବର୍ଷା ଯୋଗୁ ତଳିଆ ଗାଁରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଉନ୍ନାରେ ପୋଲ ଭାଙ୍ଗିବା ସହିତ ଲେହ-ଲଦାଖ ହାଇୱେରେ ଭୂସ୍ଖଳନ ଯୋଗୁଁ ରାସ୍ତା ବନ୍ଦ ରହିଛି ।

ସୂଚନା ମୁତାବକ, ଉନ୍ନା ଜିଲ୍ଲାରେ ରାମପୁର ପୋଲ ଧୋଇଯାଇଛି । ଆରଟିଓ କାର୍ଯ୍ୟାଳୟ ଲିଙ୍କ ରୋଡ ଠାରୁ ଟ୍ରାଫିକକୁ ଡାଇଭର୍ଟ କରାଯାଇଛି । ତେବେ ପୋଲ ଉପରେ ଯାଉଥିବା ଜଣେ ବାଇକ ଚାଳକ ଆହତ ହୋଇଛନ୍ତି । ମନାଲି ଅଟଳ ଟନେଲ ନିକଟରେ ଭୂସ୍ଖଳନ ହୋଇଛି । ସେଥିପାଇଁ ହାଇୱେ ପାଖରେ ଭୂସ୍ଖଳନ ହେବା ଯୋଗୁ ରାସ୍ତା ବନ୍ଦ ରହିଛି । ଚଣ୍ଡୀଗଡ ମନାଲି ନ୍ୟାସନାଲ ହାଇୱେ ନିକଟରେ ମଧ୍ୟ ଭୂସ୍ଖଳନ ହୋଇଛି ।

ଡେପୁଟି କମିଶନର ଅନୁପମ କଶ୍ୟପଙ୍କ କହିବାନୁଯାୟୀ ତକଲେଚ୍ ଗାଁରେ ବାଦଲ ଫାଟିବା ଖବର ପାଇ ତୁରନ୍ତ ରାମପୁର ଏସଡିଏମ ନିଶାନ୍ତ ତୋମାରଙ୍କ ନେତୃତ୍ୱରେ ଏକ ଟିମକୁ ଘଟଣାସ୍ଥଳକୁ ପଠାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଧନ ଜୀବନ ହାନି ହୋଇଥିବା ସୂଚନା ମିଳିନାହିଁ । କିନ୍ତୁ ସେଠାରେ ଏକ ୩୦ ମିଟର ରାସ୍ତା ଭାଙ୍ଗିଯାଇଛି ଏବଂ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । କିଛି ଗ୍ରାମବାସୀ ଜୀବନ ବଞ୍ଚାଇ ଅନ୍ୟ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ହିମାଚଳ ପ୍ରଦେଶର ଶିମଲା, ମଣ୍ଡି, କୁଲ୍ଲୁ ସମେତ ଅନ୍ୟ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା ।

ପାଣିପାଗ ବିଭାଗ ଅନୁଯାୟୀ, ଗତ ରାତିରେ ବିଳାସପୁରରେ ନୈନ ଦେବୀରେ ୧୦୮ ମିମି, ହମିରପୁରରେ ୭୬.୦ ମିମି, ପାଲମପୁର ୬୮.୦ ମିମି, ଉନ୍ନାରେ ୬୭.୨ ମିମି, ମଣ୍ଡିରେ ୬୫.୦ ମିମି, ବିଳାସପୁରରେ ୪୦.୮ ମିମି, ଧର୍ମଶାଳାରେ ୪୦.୦୦ମିମି ବର୍ଷା ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ଅଗଷ୍ଟ ୨୩ ଯାଏଁ ହିମାଚଳ ପ୍ରଦେଶରେ ଆଲର୍ଟ ଜାରି ହୋଇଛି ।