ଗୁଜରାଟ ବର୍ଷା : ୧୫ରୁ ଅଧିକ ମୃତ, ୧୫ ହଜାର ଲୋକ ସ୍ଥାନାନ୍ତର, ଅନେକ ଟ୍ରେନ ପ୍ରଭାବିତ

ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇ ଏପର୍ଯ୍ୟନ୍ତ ୧୫,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୩୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତଳିଆ ଅଞ୍ଚଳରେ ପାଣି ପଶିଛି ।

ଖବର ମୁତାବକ, ରେକର୍ଡ ବର୍ଷା ହେତୁ ଗୁଜରାଟର ୨୭ଟି ଜିଲ୍ଲାରେ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି । ଆଜି ଓ ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଗତ ତିନି ଦିନ ମଧ୍ୟରେ ଗୁଜରାଟରେ ପ୍ରବଳ ବର୍ଷା ହେତୁ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ମୋରବିରେ ଜଣେ ବ୍ୟକ୍ତି, ଗାନ୍ଧିନଗରରେ ୨ ଜଣ, ଆନନ୍ଦରେ ୬, ମହିସାଗରରେ ୨, ଭଦୋଦାରାରେ, ଖେଡା, ଭରୁଚରେ ଓ ଅହମ୍ମଦାବାଦରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ତିନି ଦିନ ମଧ୍ୟରେ ୧୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏନଡିଆଏଫ୍ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ତଳିଆ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଜାମନଗରରୁ ଜୁନାଗଡ, ଭଦୋଦରା ଠାରୁ ବନାସକଣ୍ଠା ଏବଂ ଅରାବାଳି ଠାରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଚାରିଆଡେ ବନ୍ୟା ବିପଦ ଦେଖାଦେଇଛି । ଲୋକମାନେ ମଧ୍ୟ ଘରେ ପାଣି ପଶିଯିବା ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପାର୍କିଂ ହୋଇଥିବା ବାଇକ୍ ଓ କାର୍ ଭାସି ଯାଇଛି । କେବଳ ସେତିକି ନୁହେଁ ଶ୍ମଶାନରେ ମଧ୍ୟ ପାଣି ଭର୍ତ୍ତି ହୋଇଯାଇଛି ।

ବର୍ଷା ଯୋଗୁଁ ଅନେକ ଟ୍ରେନ ରଦ୍ଦ କରିବାକୁ ପଡିଛି । ୧୯ରୁ ଅଧିକ ଟ୍ରେନ ରଦ୍ଦ ହୋଇଥିବା ବେଳେ ୯ରୁ ଅଧିକ ଟ୍ରେନ ପ୍ରଭାବିତ ହୋଇଛି । ଟ୍ରେନ ଟ୍ରାକରେ ପାଣି ଜମିବା ଯୋଗୁଁ ଟ୍ରେନ ରଦ୍ଦ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like