ଅନନ୍ତ-ରାଧିକାଙ୍କ ବିବାହକୁ ବାଧା ଦେଉଛି ବର୍ଷା: ମୁମ୍ବାଇରେ ଜଳବନ୍ଦୀ ସ୍ଥିତି, ବିମାନ ସେବା ପ୍ରଭାବିତ

ନୂଆଦିଲ୍ଲୀ : ପୁଣି ଉବୁଟୁବୁ ମାୟାନଗରୀ । ମୁମ୍ବାଇରେ ପ୍ରବଳ ବର୍ଷା । ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି । ମୁମ୍ବାଇ ଓ ଏହାର ଉପକଣ୍ଠ ଅଞ୍ଚଳରେ ଆଜି ସକାଳୁ ଭୀଷଣ ବର୍ଷା ଲାଗି ରହିଛି । କିଛି ସ୍ଥାନରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି । ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଆଜି ଏବଂ ଆସନ୍ତାକାଲି ପ୍ରବଳ ବର୍ଷା ହେବ। ସତର୍କ ସୂଚନା ଦେଇଛି ଆଇଏମଡି। ଆଜି ଓ ଆସନ୍ତାକାଲି ପାଇଁ ମୁମ୍ବାଇକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ତେବେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବ ପାଇଁ ମୁମ୍ବାଇର ଆଜିର ପାଣିପାଗ ଚର୍ଚ୍ଚାରେ ରହିଛି । ସାରା ବିଶ୍ବରୁ ଅତିଥିମାନେ ଆଣ୍ଟିଲିଆରେ ପହଞ୍ଚିବାରେ ଲାଗିଛନ୍ତି। ଇଂଲଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ଆଣ୍ଟାଲିଆ ଆସିଛନ୍ତି।

ଆସନ୍ତା ୩-୪ ଘଣ୍ଟା ମଧ୍ୟରେ ମୁମ୍ବାଇ ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପଗେ ବିଭାଗ ସକାଳ ୮.୩୦ରେ ପୂର୍ବାନୁମାନ କରିଛି। ରାତି ପ୍ରାୟ ୪ଟା ସମୟରେ ମଧ୍ୟ ୩.୮ ମିଟର ଉଚ୍ଚ ଜୁଆର ହେବାର ଆଶଙ୍କା ରହିଛି । ଏହି ବର୍ଷା ମୁମ୍ବାଇ ବିମାନବନ୍ଦରରୁ ବିମାନ ସେବା ଉପରେ ମଧ୍ୟ ପ୍ରଭାବ ପକାଇଛି । ବର୍ଷା ମୁମ୍ବାଇ ବିମାନ ଚଳାଚଳ ଉପରେ ପ୍ରଭାବ ପକାଇଥିବା ବେଳେ ଯାତ୍ରୀମାନଙ୍କୁ ବିମାନ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ଇଣ୍ଡିଗୋ ଏୟାରଲାଇନ୍ସ କହିଛି, “ପ୍ରବଳ ବର୍ଷା ହେତୁ ମୁମ୍ବାଇରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଉଡ଼ାଣ ସ୍ଥିତି ଉପରେ ନଜର ରଖନ୍ତୁ।’’

You might also like