ବାତ୍ୟା ‘ମାଣ୍ଡୋସ୍‌’ ପ୍ରଭାବରେ ତାମିଲନାଡୁରେ ଭୀଷଣ ବର୍ଷା ଜାରି, ଲୋକମାନଙ୍କୁ ଘରୁ ନବାହାରିବାକୁ ସତର୍କ କରାଇଲେ ସରକାର

ନୂଆଦିଲ୍ଲୀ : ବାତ୍ୟା ‘ମାଣ୍ଡସ୍’ ର ଅବତରଣ ପ୍ରକ୍ରିୟା ଶେଷ ହୋଇଛି ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି। ଶୁକ୍ରବାର ବିଳମ୍ବିତ ରାତିରେ ମାମଲାପୁରମ୍ ନିକଟରେ ‘ମାଣ୍ଡସ୍’ ସ୍ଥଳଭାଗ ଛୁଇଁଛି। ଆଜି ମଧ୍ୟାହ୍ନ ସମୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଧିରେଧିରେ ବାତ୍ୟା ଦୁର୍ବଳ ହେଉଛି। ଘଣ୍ଟା ପ୍ରତି ୫୫ରୁ ୬୫ କିମି ବେଗରେ ପବନ ବହୁଛି । ଏହା ପ୍ରଭାବରେ ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବା ଜଣାପଡ଼ିଛି ।

ବାତ୍ୟା ପ୍ରଭାବରେ ଚେନ୍ନାଇର ବିଭିନ୍ନ ଅଞ୍ଚଳରେ ଭୀଷଣ ବର୍ଷା ହେବା ସହ ପଟିନ୍ନାମ୍ପକ୍କମରେ ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳିଛି । ଆଗାମୀ ତିନି ଘଣ୍ଟା ମଧ୍ୟରେ ରାନୀପେଟାଇ, ଭେଲ୍ଲୋର, ଭିଲୁପୁରମ, ତିରୁଭାନ୍ନାମଲାଇ, ସଲେମ, ତାମିଲନାଡୁର ଥିରୁପଟୁର ଏବଂ ପୁଡୁଚେରୀରରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏପରିକି ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଣୁ ଲୋକମାନଙ୍କୁ ଘରୁ ନବାହାରିବାକୁ ସତର୍କ କରାଇଛନ୍ତି ତମିଲନାଡୁ ସରକାର । ପ୍ରବଳ ବର୍ଷା ଯୋଗୁ ତଳି ଅଞ୍ଚଳରେ ବର୍ଷା ପାଣି ଭରି ଯାଇଛି ।

ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶ ଉପକୂଳରେ ମଧ୍ୟ ବର୍ଷା ଜାରି ରହିଛି । ସାମୁଦ୍ରିକ ଝଡ଼ ‘ମାଣ୍ଡସ୍‌’କୁ ନଜରରେ ରଖି ତାମିଲନାଡ଼ୁ ସରକାର ସଜାଗ ହୋଇଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି,” ବାତ୍ୟା ମାଣ୍ଡସକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।” ଏହାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସମସ୍ତ ସ୍କୁଲ ଏବଂ କଲେଜ ଛୁଟି ଘୋଷଣା କରାଯାଇଛି । ଏପରିକି ତାମିଲନାଡୁର ୧୦ଟି ଜିଲ୍ଲାରେ ଏନଡିଆରଏଫ ଏବଂ ରାଜ୍ୟ ସୁରକ୍ଷାବଳର ୧୨ଟି ଟିମ୍ ନିୟୋଜିତ ହୋଇଛନ୍ତି । ଶନିବାର ମଧ୍ୟରାତ୍ରି କିମ୍ବା ସକାଳେ ବାତ୍ୟା ମାଣ୍ଡସ ପୁଡୁଚେରୀ ଏବଂ ଶ୍ରୀହରିକୋଟା ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ସମୟରେ ପବନର ବେଗ ୮୫ କିମି ପର୍ଯ୍ୟନ୍ତ ରହିବ ।

ସେହିପରି ଆନ୍ଧ୍ରପ୍ରଦେଶର ସରକାର ଭୀଷଣ ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାର ଜିଲ୍ଳାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଚେନ୍ନାଇରେ ପ୍ରବଳ ବର୍ଷା ଜାରି ରହିଛି। ଚେନ୍ନାଇ ଏୟାରପୋର୍ଟରୁ ୧୩ଟି ବିମାନ ଉଡାଣ ବାତିଲ କରି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.