ତେଲେଙ୍ଗାନା ଓ ଆନ୍ଧ୍ରରେ ବର୍ଷା ବିତ୍ପାତ: ଗଲାଣି ୨୭ ଜୀବନ, ଜଳ ପ୍ରଳୟ ଯୋଗୁ ୧୪୦ ଟ୍ରେନ୍ ରଦ୍ଦ

ନୂଆଦିଲ୍ଲୀ : ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ଜଳ ପ୍ରଳୟ । ପ୍ରବଳ ବର୍ଷା ଯୋଗୁ ଗଲାଣି ୨୭ ଜଣଙ୍କ ଜୀବନ । ତେଲେଙ୍ଗାନରେ ୧୫ ଓ ଆନ୍ଧ୍ରରେ ୧୨ ଜଣଙ୍କ ଜୀବନ ଯାଇଛି । ଜୀବନ ହାନୀ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ପାଣିରେ ବୁଡ଼ି ଯାଇଛି ଶହ ଶହ ଗାଁ । ଘରଦ୍ୱାର, ସହର ବଜାର ସବୁଠି ଜଳବନ୍ଦୀ । ଗାଡ଼ି ମୋଟର ଚାଲିବା ରାସ୍ତାରେ ଚାଲୁଛି ଡଙ୍ଗା ।  ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ପ୍ରାକୃତିକ ବିପର୍ଯ୍ୟୟ ଭୟଙ୍କର ବିପତ୍ତି ଆଣିଛି । କେଉଁଠି ରାସ୍ତାଘାଟ ଧୋଇ ଯାଇଛି ତ ଆଉ କେଉଁଠି ଟ୍ରେନ୍ ଲାଇନ୍ ଛିନଛତର ହୋଇଯାଇଛି।

ସେହିପରି ବିଜୟୱାଡାର ରାମକ୍ରିଷ୍ଣ ପୁରମ୍ ଅଞ୍ଚଳ ଓ ଗୁଣ୍ଟୁର ଭୀଷଣ ଭାବରେ ଜଳବନ୍ଦୀ ହୋଇଛି । ରାସ୍ତାରେ ଭାସୁଛି ବାଇକ୍, ଅଟୋ, କାର୍ । ଟ୍ରକ୍ ବି ବୁଡ଼ିଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବୋଟ୍ ଯୋଗେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେପଟେ ତେଲେଙ୍ଗାନାରେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ଖମାମ ଜିଲ୍ଲା। ସ୍ଥିତି ଆକଳନ ପାଇଁ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏ.ରେୱନ୍ତ ରେଡ୍ଡୀ ଓ ଚନ୍ଦ୍ରବାବୁ ନାଇଡୁ ଜରୁରୀକାଳୀନ ବୈଠକ ଡାକିଥିଲେ । ସ୍ଥିତି ନେଇ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ । ଏଥିସହ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ପଠାଯିବ ବୋଲି ଆଶ୍ୱସନା ଦେଇଛନ୍ତି ।

ପ୍ରବଳ ବର୍ଷା ଯୋଗୁ ରେଳ ଧାରଣାରେ ପାଣି ଜମିବାରୁ ୧୪୦ ଟ୍ରେନ୍ ଚଳାଚଳ ବାତିଲ କରାଯାଇଥିବା ବେଳେ ୯୭ ଟ୍ରେନ୍ ର ରୁଟ୍ ରେ ପରିବର୍ତ୍ତନ କରାଯାଇଛି । କିଛି ସ୍ଥାନରେ ରେଳ ଧାରଣା ଧୋଇ ଯାଇଛି। ତେଲେୋଙ୍ଗାନାରେ ସିକନ୍ଦରାବାଦ୍ ଡିଭିଜନରେ ଛଅଟି ସ୍ଥାନରେ ରେଳଧାରଣା ଧୋଇଯାଇଛି। ରେଳ ଟ୍ରାକ୍ ଠିକ କରିବାକୁ ସମୟ ଲାଗିବ ବୋଲି ଦକ୍ଷିଣ କେନ୍ଦ୍ର ରେଳବାଇ ତରଫରୁ ସୂଚନା ଦିଆଯାଇଛି।  ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ା, ମଛଲିପଟନମ, ଗୁଡ଼ିବତା, ନାରସପୁରମ, ଅମରାବତୀ, ମଙ୍ଗଳଗିରି, ନନ୍ଦିଗାମ ଓ ଭୀମାଭରମ ଆଜି ଜିଲ୍ଲା ବର୍ଷା ଯୋଗୁ ପ୍ରଭାବିତ ହୋଇଛି । ତଳିଆ ଅଞ୍ଚଳରେ ବନ୍ୟାପାଣି ପଶିବାରୁ ପାଖାପାଖି ୧୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ପୋଲିସ ସମେତ SDRF ଓ NDRF ଟିମ୍ ନିୟୋଜିତ କରାଯାଇଛି । ସୋମବାର ପ୍ରବଳ ବର୍ଷା କାରଣରୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପରିସ୍ଥିତି ସମୀକ୍ଷା କରିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜୋରଦାର କରିବାକୁ ପ୍ରଭାବିତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

 

You might also like