ପାକିସ୍ତାନରେ ବର୍ଷା ତାଣ୍ଡବ, ବେସମେଣ୍ଟରେ ପାଣି ପଶିବା ଯୋଗୁଁ ଗୋଟିଏ ପରିବାରର ୧୧ ମୃତ

ପ୍ରବଳ ବର୍ଷାରେ ପାକିସ୍ତାନ ସ୍ଥିତି ବେହାଲ । ଅନେକ ଅଞ୍ଚଳରେ ବର୍ଷା ଯୋଗୁଁ କ୍ଷୟକ୍ଷତି ଘଟିଛି । ଉତ୍ତର ପଶ୍ଚିମ ପାକିସ୍ତାନର ଖେବର ପଖତୁନଖ୍ଵା ପ୍ରାନ୍ତରେ ପ୍ରବଳ ବର୍ଷା ଯୋଗୁଁ ଘରର ବେସମେଣ୍ଟରେ ପାଣି ପଶିବା ଯୋଗୁଁ ଏକ ପରିବାରର ୬ ପିଲାଙ୍କ ସହିତ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ପେଶାଓ୍ଵରର ଦକ୍ଷିଣରେ ୩୫ କିମି ଦୂର କୋହାଟ ଜିଲ୍ଲାରେ ଏଭଳି ଘଟଣା ଘଟିଛି ।
ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଏଜେନ୍ସୀ ମୁତାବକ, ବର୍ଷା ପାଣି ଘରର ବେସମେଣ୍ଟରେ ପଶିବା ଯୋଗୁଁ ପୁରା ପରିବାର ସେଠାରେ ଫସିଥିଲା । ଫଳରେ ୬ ପିଲାଙ୍କ ସହିତ ୩ ମହିଳା ଏବଂ ୨ ଜଣ ପୁରୁଷଙ୍କ ମୃତ୍ୟୁ ହୋଇଛି । ଉଦ୍ଧାରକାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ବେସମେଣ୍ଟରୁ ମୃତଦେହକୁ ଉଦ୍ଧାର କରିଥିଲା । ପରେ ମୃତଦେହକୁ କୋହାଟ ହସପିଟାଲକୁ ନିଆଯାଇଥିଲା । ଖେବର ପଖତୁନଖ୍ଵା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ତେବେ ପାକିସ୍ତାନରେ ବିଭିନ୍ନ ଭାଗରେ ପ୍ରବଳ ବର୍ଷା ଚେତାବନୀ ଦିଆଯାଇଛି । ନଦୀର ଜଳସ୍ତର ବଢିପାରେ ବୋଲି କୁହାଯାଇଛି । ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ରାଓ୍ଵଲପିଣ୍ଡିରେ ବର୍ଷା ଯୋଗୁଁ ଛାତ ପଡି ଜଣେ ମହିଳା ଏବଂ ତାଙ୍କ ଝିଅର ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ, ୩ ଦିନ ତଳେ ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଥିବା ଏକ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ପଶିଯିବାରୁ ୩ ଜଣ ଆଇଏଏସ ଆଶାୟୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ପ୍ରବଳ ବର୍ଷା ଯୋଗୁ ଶନିବାର ଦିଲ୍ଲୀର ଏକ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ପଶିଯାଇଥିଲା । ଏହି ସମୟରେ ସେଠାରେ ଏକ ଲାଇବ୍ରେରୀରେ ଥିବା କିଛି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ତିନି ଜଣ ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଜଣେ ସେମାନଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଜଣେ ଛାତ୍ର ଓ ଦୁଇ ଜଣ ଛାତ୍ରୀ ଅଛ