ଦିଲ୍ଲୀ ଜଳମନ୍ତ୍ରୀ ଅତିଶୀଙ୍କ ଘର ବାହାରେ ଆଣ୍ଠୁଏ ଉଚ୍ଚର ପାଣି, ଭିତରେ ବି ଚାଲିଛି ପାଣିର ସୁଅ
ଦିଲ୍ଲୀରେ ଶୁକ୍ରବାର ସକାଳୁ ହିଁ ଲାଗି ରହିଛି ପ୍ରବଳ ବର୍ଷା । ରାଜଧାନୀର ଅନେକ ଅଞ୍ଚଳରେ ଜଳାର୍ଣ୍ଣବ ସ୍ଥିତି ସୃଷ୍ଟି ହୋଇଛି । ଗତ କିଛି ମାସ ଧରି ଜଳ ସଙ୍କଟରେ ଜୁଝି ହେଉଥିବା ଦିଲ୍ଲୀର ରାଜରାସ୍ତା ଏବେ ପ୍ରଥମ ବର୍ଷାରେ ହିଁ ଉବୁଟୁବୁ ହୋଇଯାଇଛି । ଏଭଳି ସ୍ଥିତିରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସରକାରରେ ଜଳ ମନ୍ତ୍ରୀ ଅତିଶୀଙ୍କ ବାସଭବନ ଭିତରେ ଏବଂ ବାହାରେ ବି ବର୍ଷା ପାଣିର ସୁଅ ଛୁଟିଛି ।
ଅତିଶୀଙ୍କ ଘର ବାହାରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଦେଖାଯାଉଛି କି, ଅତିଶୀଙ୍କ ବାସଭବନ ବାହାରେ ବର୍ଷା ପାଣି ଚାଲିଛି । କେବଳ ବାହାରେ ନୁହେଁ, ଭିତରେ ମଧ୍ୟ ବର୍ଷା ପାଣି ଦେଖାଯାଉଛି ।
କହି ରଖୁଛୁ ଯେ ଜଳ ମନ୍ତ୍ରୀ ଅତିଶୀ ଦିଲ୍ଲୀକୁ ପାଣି ଯୋଗାଣ ଦାବି ନେଇ ଅନିର୍ଦ୍ଦିଷ୍ଟକାଳ ପାଇଁ ଅନଶନରେ ବସିଥିଲେ । କିନ୍ତୁ ହଠାତ୍ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଅନଶନକୁ ସମାପ୍ତ କରାଯାଇଥିଲା ।
ଦିଲ୍ଲୀ-ଏନ୍ସିଆର୍ରେ ଶୁକ୍ରବାର ମୌସୁମୀ ବର୍ଷା ଆରମ୍ଭ ହୋଇଛି । ରାଜଧାନୀରେ ଏତେ ମାତ୍ରାରେ ବର୍ଷା ହୋଇଛି ଯେ ୮୮ ବର୍ଷର ଏହା ରେକର୍ଡ ଭାଙ୍ଗି ଦେଇଛି । ପରିସ୍ଥିତି ଏପରି ହୋଇଛି, ରାସ୍ତାରେ ଯୁଆଡ଼େ ଚାହିଁବ, ସେଆଡ଼େ ଅଣ୍ଟେ ଉଚ୍ଚର ପାଣି ଦେଖାଯାଉଛି । ଲୋକେ ଟ୍ରାଫିକ୍ ଜାମ୍ରେ ଫସି ରହିଛନ୍ତି । ଛୋଟ ଗଳି ରାସ୍ତା ଏବଂ ବସ୍ତିଗୁଡ଼ିକ ଜଳମଗ୍ନ ହୋଇଯାଇଛି ।
୧୯୩୬ ମସିହା ପରେ ଚଳିତ ବର୍ଷ ଜୁନ୍ ମାସରେ ସର୍ବାଧିକ ବର୍ଷା ଗତ ୨୪ ଘଣ୍ଟାରେ ରେକର୍ଡ କରାଯାଇଛି । ଜୁନ୍ ୨୮ରେ ଦିଲ୍ଲୀରେ ୨୩୫.୫ ମିମି ବର୍ଷା ହୋଇଛି । ଯେତେବେଳେ କି, ପୂରା ଜୁନ୍ ମାସରେ ହାରାହାରି ୮୦.୬ ମିମି ବର୍ଷା ହୋଇଥାଏ । ଗତ ୨୪ ଘଣ୍ଟା ମଧ୍ୟରେ ଏହାର ପାଖାପାଖି ୩ ଗୁଣ ବର୍ଷା ହେବା ଦ୍ୱାରା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସକାଳେ ଅଫିସ୍ ଓ କାମକୁ ଯାଉଥିବା ଲୋକେ ଟ୍ରାଫିକ୍ ଜାମ୍ ଏବଂ ଜଳାର୍ଣ୍ଣବ ସ୍ଥିତିରେ ଫସି ରହିଥିଲେ ।