ଗୁଜରାଟ: ପୋରବନ୍ଦରରେ କୋଷ୍ଟଗାର୍ଡର ଆଡଭାନ୍ସ ହେଲିକପ୍ଟର କ୍ରାସ୍, ୩ ଜଣଙ୍କ ମୃତ୍ୟୁ
ଗୁଜରାଟରେ ହେଲିକପ୍ଟର କ୍ରାସ୍ । ପୋରବନ୍ଦରରେ କୋଷ୍ଟଗାର୍ଡର ଏୟାର ଏନକ୍ଲେଭରେ ଏକ ହେଲିକପ୍ଟର ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ୩ ଜଣଙ୍କର ମୃତ୍ୟୁ ଘଟିଛି । କ୍ରାସ୍ ସମୟରେ ହେଲିକପ୍ଟରରୁ ଡେଇଁଥିବା ଜଣେ ବ୍ୟକ୍ତିଙ୍କର ଏଥିରେ ମୃତ୍ୟୁ ହୋଇଥିବା ବେଳେ ଆହତ ୨ ଜଣଙ୍କୁ ହସ୍ପିଟାଲ ନିଆଯାଉଥିବା ବାଟରେ ସେମାନେ ଆଖି ବୁଜିଥିଲେ ।
ଅଧିକାରୀଙ୍କ ମୁତାବକ, କୋଷ୍ଟଗାର୍ଡର ଆଡଭାନ୍ସ ଲାଇଟ୍ ହେଲିକପ୍ଟର କ୍ରାସ୍ ହୋଇଛି । କୋଷ୍ଟଗାର୍ଡ ତରଫରୁ ଏ ନେଇ କୌଣସି ବିଧିବଦ୍ଧ ବୟାନ ଆସିନାହିଁ । ସ୍ଥାନୀୟ ପୋଲିସ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି ।
ଜଣେ ଅଧିକାରୀ କହିଛନ୍ତି, ଇଣ୍ଡିଆନ୍ କୋଷ୍ଟଗାର୍ଡର ଏକ ଆଡଭାନ୍ସ ଲାଇଟ୍ ହେଲିକପ୍ଟର (ALH) ଧ୍ରୁବ ରବିବାର ନିୟମିତ ପ୍ରଶିକ୍ଷଣ ଉଡ଼ାଣ ଭରିଥିଲା । ଏହି ସମୟରେ ସେଥିରେ କିଛି ଟେକ୍ନିକାଲ୍ ତ୍ରୁଟି ଦେଖାଦେଇଥିଲା । ଗୁଜରାଟର ପୋରବନ୍ଦର କୋଷ୍ଟଗାର୍ଡ ଏୟାରପୋର୍ଟରେ ଲ୍ୟାଣ୍ଡିଂ ବେଳେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଏଥିରେ ଥିବା ସମସ୍ତ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । କୋଷ୍ଟଗାର୍ଡ ଟିମ୍ ଏହି ଘଟଣାର ଯାଞ୍ଚ କରୁଛି ।
ଦୁଇ ମାସ ପୂର୍ବରୁ ମଧ୍ୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ସମୁଦ୍ରରେ କ୍ରାସ୍ ହୋଇଥିଲା ।
ନିକଟରେ ଦକ୍ଷିଣ କାଲିଫର୍ଣ୍ଣିଆରେ ଏକ ବିମାନ ଦୁର୍ଘଟଣା ଘଟିଥିଲା । ଜାନୁୟାରୀ ୨ରେ ଏକ ଛୋଟିଆ ବିମାନ ଫର୍ଣ୍ଣିଚର ଗୋଦାମର ଛାତ ଉପରେ କ୍ରାସ୍ ହୋଇଥିଲା । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଥିଲେ ।