ଆମେରିକାରେ ନଦୀକୁ ଖସିଲା ହେଲିକପ୍ଟର, ୬ଜଣଙ୍କର ମୃତ୍ୟୁ

ଆମେରିକାର ମାନହାଟନରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଗତକାଲି ଅର୍ଥାତ୍ ଗୁରୁବାର ନ୍ୟୁୟର୍କର ହଡସନ୍ ନଦୀରେ ଘଟିଛି । ଏହି ଦୁର୍ଘଟଣାରେ ତିନି ଜଣ ପିଲାଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଯେ ଏହି ଦୁର୍ଘଟଣା ଲୋୟର ମାନହାଟନ ଏବଂ ଜର୍ସି ସିଟି ମଧ୍ୟରେ ଘଟିଛି । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।

ନ୍ୟୁୟର୍କ ମେୟର ଏରିକ୍ ଆଡାମ୍ସ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ପାଇଲଟ୍ ଏବଂ ସ୍ପେନର ଏକ ପରିବାରରେ ପାଞ୍ଚ ଜଣ ଲୋକ ସାମିଲ ଅଛନ୍ତି । ନ୍ୟୁୟର୍କ ପୋଲିସ୍ ବିଭାଗ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛି ଯେ ‘‘ୱେଷ୍ଟ ସାଇଡ୍ ହାଇୱେ ଏବଂ ସ୍ପ୍ରିଙ୍ଗ ଷ୍ଟ୍ରିଟ୍ ନିଗଟରେ ହଡସନ୍ ନଦୀରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।’’

ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ଭିଡିଓରେ ହେଲିକପ୍ଟର ସମ୍ପୂର୍ଣ୍ଣ ପାଣିରେ ବୁଡି ରହିଥିବାର ଦେଖାଯାଉଛି । ଦୁର୍ଘଟଣା ସମୟରେ ଆକାଶ ମେଘୁଆ ଥିଲା, ପ୍ରାୟ ୧୦ ରୁ ୧୫ ଘଣ୍ଟା ବେଗରେ ପବନ ମଧ୍ୟ ବହିଥିଲା । ହାଲୁକା ବର୍ଷା ହେବାର ସମ୍ଭାବନା ଥିଲା । ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) କହିଛି ଯେ ଏହା ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) ସହିତ କାମ କରୁଛି ।

ଘଟଣାସ୍ଥଳର ଜଣେ ପ୍ରତ୍ୟକ୍ଷଦର୍ଶୀ ବ୍ରୁସ୍ ୱାଲ୍ କହିଛନ୍ତି ଯେ ସେ ହେଲିକପ୍ଟରଟି ଆକାଶରେ ଭାଙ୍ଗି ପଡୁଥିବାର ଦେଖିଛନ୍ତି । ହେଲିପ୍ଟରଟି ଖସି ପଡିବା ସମୟରେ ପ୍ରୋପେଲରଟି ଘୂରୁଥିଲା, କିନ୍ତୁ ତାହା ଗତି କରୁନଥିଲା । ଆଜ ଜଣେ କହିଛନ୍ତି ମୁଁ ଝରକା ଦେଇ ବାହାରକୁ ଚାହିଁଲି, ହେଲିକପ୍ଟରଟି ଅନେକ ଖଣ୍ଡ ହୋଇ ନଦୀରେ ପଡିଗଲା । ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ ଲେସଲି କାମାଚୋ କହିଛନ୍ତି ଯେ ହେଲିକପ୍ଟରଟି ପାଣିରେ ଖସିପଡିବା ପୂର୍ବରୁ ଅନିୟନ୍ତ୍ରିତ ଭାବରେ ଘୂରୁଥିଲା ଏବଂ ଧୁଆଁ ମଧ୍ୟ ନିର୍ଗତ କରୁଥିଲା ।