ଅଷ୍ଟ୍ରେଲିଆ: ହୋଟେଲ ଛାତ ଉପରେ କ୍ରାସ୍‌ ହେଲା ହେଲିକପ୍ଟର, ଏମିତି ରକ୍ଷା ପାଇଲା ୪୦୦ ଲୋକଙ୍କ ଜୀବନ

ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡରେ ସୋମବାର ସକାଳେ ଏକ ହେଲିକପ୍ଟର ହୋଟେଲ ଛାତ ଉପରେ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପାଇଲଟଙ୍କ ମୃତ୍ୟୁ ଘଟିଛି । ହେଲିକପ୍ଟରରେ ନିଆଁ ଲାଗିବା ପରେ ହୋଟେଲରୁ ପାଖାପାଖି ୪୦୦ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି । ଏଠାରେ ରହୁଥିବା ଜଣେ ଦମ୍ପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

କେର୍ନସ୍‌ ସହରର ଅଧିକାରୀମାନେ କହିଛନ୍ତି ଯେ ମୃତ ପାଇଲଟଙ୍କ ପରିଚୟ ମିଳିନାହିଁ । ତେବେ ହେଲିକପ୍ଟରଟି କେଉଁ ଉଦ୍ଦେଶ୍ୟରେ ଉଡ଼ାଣ ଭରିଥିଲା ଏବଂ କେର୍ନସ୍‌ ବିମାନ ବନ୍ଦରରୁ ପର୍ଯ୍ୟଟନ କାର୍ଯ୍ୟରେ ନିୟୋଜିତ ହେଲିକପ୍ଟରକୁ କିଏ ଅନୁମୋଦନ ଦେଇଥିଲା, ତାହା ଅଧିକାରୀମାନେ ନିଶ୍ଚିତ କରିନାହାନ୍ତି ।

କୁଇନ୍ସଲ୍ୟାଣ୍ଡ ପୋଲିସ ବିଭାଗର କାର୍ଯ୍ୟନିର୍ବାହୀ ମୁଖ୍ୟ ଅଧୀକ୍ଷକ ଶେନ୍‌ ହୋଲମସ୍‌ କହିଛନ୍ତି ଯେ ହେଲିକପ୍ଟରରେ ନିଆଁ ଲାଗିବା କାରଣରୁ ହୋଟେଲ ଭିତରେ ଧୂଆଁ ବ୍ୟାପି ଯାଇଥିଲା । ନିଃଶ୍ୱାସ ନେବାରେ କଷ୍ଟ ହେବାରୁ ଜଣେ ଦମ୍ପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ଏବେ କୌଣସି ବିପଦ ନ ଥିବା ହୋଲମସ୍‌ କହିଛନ୍ତି ।

ନଉଟିଲସ୍ ଆଭିଏସନ ଏକ ଲିଖିତ ବିବୃତ୍ତିରେ କହିଛି ଯେ ହେଲିକପ୍ଟରଟି ଅନଧିକୃତ ଢଙ୍ଗରେ ଉଡ଼ାଣ ଭରିଥିଲା । କିନ୍ତୁ ଏହା ବିଷୟରେ ଅନ୍ୟ କୌଣସି ବିବରଣୀ ଦିଆଯିବ ନାହିଁ । ବିମାନ ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରିଚାର୍ଡ ବାର୍କର କହିଛନ୍ତି, ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ଯେ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କିମ୍ବା ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.