ବାଦଲ ଫଟା ବର୍ଷା ପରେ କେଦାରନାଥ ଧାମକୁ ହେଲିକପ୍ଟର ଯାତ୍ରା ଆରମ୍ଭ, ଭଡାରେ ୨୫ ପ୍ରତିଶତ ରିହାତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦେଲେ ସୂଚନା

କେଦାରନାଥ ଧାମକୁ ହେଲିକପ୍ଟର ଯାତ୍ରା ଗୁରୁବାର ଠାରୁ ପୁଣି ଆରମ୍ଭ ହୋଇଛି । ତେବେ ନଷ୍ଟ ହୋଇଯାଇଥିବା ପାଦ ଚଲା ରାସ୍ତାର ମରାମତି କାର୍ଯ୍ୟ ଜୋରସୋରରେ ଚାଲିଛି । ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି । ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନିର୍ଦ୍ଦେଶରେ ସକାଳେ ପାଗ ସଫା ହେବା ମାତ୍ରେ ହେଲିକପ୍ଟର ସେବା ଆରମ୍ଭ ହୋଇଥିଲା । ଏପରି ଭାବେ ଭକ୍ତମାନେ ବାବା କେଦାରନାଥଙ୍କ ଦର୍ଶନ କରିଥିଲେ । ଅନ୍ୟପକ୍ଷରେ, ଧାମରେ ରହୁଥିବା ୩୩ ଜଣ ଯାତ୍ରୀଙ୍କୁ ଏମ୍‌ ଆଇ ୧୭ ଏବଂ ଅନ୍ୟ ହେଲିକପ୍ଟର ଯୋଗେ ଶେର୍ସି ଏବଂ ଚାରିଧାମ ହେଲିପ୍ୟାଡକୁ ବିମାନ ଉଡ଼ାଣ କରାଯାଇଥିଲା ।

ଏନେଇ ଶ୍ରୀ ବଦ୍ରିନାଥ କେଦାରନାଥ ମନ୍ଦିର କମିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ସିଂ କହିଛନ୍ତି ଯେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ କେଦାରନାଥ ଧାମରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଶେଷ ହୋଇଛି । ସେ କହିଛନ୍ତି ଯେ ହେଲିକପ୍ଟର ମାଧ୍ୟମରେ ପର୍ଯ୍ୟାପ୍ତ ପରିମାଣର ରାସନ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ମଧ୍ୟ ସବୁ ସ୍ଥାନକୁ ପଠାଯାଇଛି । ଜୁଲାଇ ୩୧ ରାତିରେ ପ୍ରବଳ ବର୍ଷା ହେତୁ କ୍ଷତିଗ୍ରସ୍ତ କେଦାରନାଥ ରାସ୍ତାର ଯାଞ୍ଚ ପାଇଁ ମଙ୍ଗଳବାର ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ବୁଧବାର ଠାରୁ ହେଲିକପ୍ଟର ସେବା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଖରାପ ପାଗ ଯୋଗୁଁ ବୁଧବାର ଏହି ସେବା ଆରମ୍ଭ ହୋଇପାରିଲା ନାହିଁ । ତେବେ ଆଜି ଠାରୁ ଏହି ସେବା ଆରମ୍ଭ କରାଯାଇଛି । ଯାହା ଦୂର ଦୂର ସ୍ଥାନରୁ ଆସିଥିବା ଭକ୍ତଙ୍କ ପାଇଁ ବହୁତ ସୁବିଧା ଯୋଗାଇଛି ।

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ କେଦାରନାଥ ଯାତ୍ରା ଆୟୋଜିତ ନହେବା ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ସୀମିତ ସମୟ ପାଇଁ ହେଲିକପ୍ଟର ଭଡା ଉପରେ ୨୫ ପ୍ରତିଶତ ରିହାତି ଦିଆଯିବ ଏବଂ ଏହି ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହି ସମୟରେ ଘୋଡାପଡାବ ଏବଂ ଜଙ୍ଗଲଚଟୀ ସମେତ ପ୍ରାୟ ୨୯ ଟି ସ୍ଥାନରେ କ୍ଷତିଗ୍ରସ୍ତ କେଦାରନାଥ ପାଦ ଚଲା ରାସ୍ତା ମରାମତି ପାଇଁ କାର୍ଯ୍ୟ ଚାଲିଛି । ତେବେ ପୂର୍ବରୁ ହୋଇଥିବା ପ୍ରବଳ ବର୍ଷା ରୁଦ୍ରପ୍ରୟାଗ ଏବଂ ଗୌରୀକୁଣ୍ଡରେ ଅନେକ ଧ୍ୱଂସ କରିଛି । ଅନେକ ସ୍ଥାନରେ ଲ୍ୟାଣ୍ଡ ସ୍ଲାଇଡ୍ ଏବଂ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଥିଲା । ଏପରି ପରିସ୍ଥିତିରେ କିପରି ସମସ୍ତ ଲୋକ ସୁରକ୍ଷିତ ରହିବେ ତାହା ପ୍ରତି ମଧ୍ୟ ସରକାର ଅଧିକ ଧ୍ୟାନ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like