କେଦାରନାଥ ଯାତ୍ରା ପାଇଁ ଆଜିଠୁ ଆରମ୍ଭ ହେଲା ହେଲିକପ୍ଟର ସେବା

୨୦୨୫ ଶ୍ରୀ କେଦାରନାଥ ଧାମ ଯାତ୍ରା ପାଇଁ ହେଲିକପ୍ଟର ସେବା ଆଜିଠାରୁ ସୋନପ୍ରୟାଗରୁ ଆରମ୍ଭ ହୋଇଛି । ସୂଚନା ଅନୁସାରେ କେଦାରନାଥ ଧାମ ଯାତ୍ରା ମେ ୨ ରୁ ଆରମ୍ଭ ହେବ । ଶୁକ୍ରବାର କେଦାରନାଥ ଧାମର ଦ୍ୱାର ଖୋଲିବାକୁ ଯାଉଥିବାରୁ ପ୍ରଭୁ କେଦାରନାଥ ମନ୍ଦିରକୁ ୧୩ କ୍ୱିଣ୍ଟାଲ ଫୁଲରେ ସଜ୍ଜା ହୋଇଛି । ବାବା କେଦାରନାଥଙ୍କ ପ୍ରତିମା ମେ ୧ ରେ କେଦାରନାଥ ଧାମରେ ପହଞ୍ଚିବେ । ମେ ୨ ରେ ସକାଳ ୭ ଟାରେ ଭକ୍ତମାନଙ୍କ ପାଇଁ ଦ୍ୱାର ଖେ।ଲାଯିବ ।
ହେଲିକପ୍ଟର ସେବା ଆରମ୍ଭ ହେବା ସହିତ ଭକ୍ତମାନେ ସହଜରେ ମନ୍ଦିରରେ ପହଞ୍ଚିପାରିବେ । ଧାର୍ମିକ ପରମ୍ପରା ଅନୁସାରେ ଗତକାଲି ସକାଳେ ଭୈରବ ଉପତ୍ୟକାରେ ଅବସ୍ଥିତ ଭୈରବ ମନ୍ଦିରରୁ ମା ଗଙ୍ଗାଙ୍କ ଉତ୍ସବ ଦୋଳି ଗଙ୍ଗୋତ୍ରୀ ଧାମରେ ପହଞ୍ଚିଥିଲା । ଗଙ୍ଗୋତ୍ରୀ ଧାମରେ ସ୍ୱତନ୍ତ୍ର ପୂଜା ଏବଂ ଅଭିଷେକ ସହିତ ସକାଳ ୧୦.୩୦ରେ ଭକ୍ତମାନଙ୍କ ପାଇଁ ଗଙ୍ଗୋତ୍ରୀ ମନ୍ଦିରର ଦ୍ୱାର ଖୋଲାଯାଇଥିଲା । ଶନିଦେବ ମହାରାଜଙ୍କ ନେତୃତ୍ୱରେ ମା ଯମୁନାଙ୍କ ପାଳକି ଶୀତକାଳୀନ ବାସସ୍ଥାନ ଖରସାଲିରୁ ଯମୁନୋତ୍ରୀ ଧାମରେ ପହଞ୍ଚିଥିଲା ।
ଧାର୍ମିକ ରୀତିନୀତି ସହିତ ସକାଳ ୧୧:୫୫ ରେ ଯମୁନୋତ୍ରୀ ଧାମର ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲାଯାଇଥିଲା । ଦ୍ୱାର ଖୋଲିବା ଅବସରରେ ଦେଶ ବିଦେଶରୁ ହଜାର ହଜାର ଭକ୍ତ ଅଖଣ୍ଡ ଜ୍ୟୋତି ଦର୍ଶନ କରିଥିଲେ ଏବଂ ଗଙ୍ଗା ଏବଂ ଯମୁନାରେ ସ୍ନାନ କରି ପୁଣ୍ୟ ଅର୍ଜନ କରିଥିଲେ। ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର ଉଦଘାଟନୀ ଉତ୍ସବରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମାତା ଗଙ୍ଗା ଏବଂ ଯମୁନାଙ୍କ ମନ୍ଦିରରେ ମୁଣ୍ଡ ନୁଆଁଇ ସ୍ୱତନ୍ତ୍ର ପୂଜା କରିଥିଲେ ।
କେଦାରନାଥ ଧାମରେ ଆରମ୍ଭ ହୋଇଥିବା ହେଲିକପ୍ଟର ସେବା ବିଷୟରେ, ଅପରେସନ୍ ଏକଜିକ୍ୟୁଟିଭ୍ ପବନ ରାଣା ଏକ ଗଣ ମାଧ୍ୟମକୁ କହିଛନ୍ତି, “ଏହି ସେବା ପାଇଁ ଅନଲାଇନ୍ ଟିକେଟ୍ IRCTC ରେ ଉପଲବ୍ଧ ଏବଂ ଅଫଲାଇନ୍ ଟିକେଟ୍ DM କିମ୍ବା ସେକ୍ଟର ମାଜିଷ୍ଟ୍ରେଟ୍ ମାଧ୍ୟମରେ ଉପଲବ୍ଧ। ଆମେ ପ୍ରତିଦିନ ପ୍ରାୟ ୨୦-୩୦ସଟଲ୍ ପରିଚାଳନା କରିଥାଉ ଯାହାକି ୧୫୦ ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ସେବା ଯୋଗାଇଥାଏ।
Also read: ପହଲଗାମ ଏନଆଇଏ ଡିଜି, ଆକ୍ରମଣର ଦୁଇ ଦିନ ପୂର୍ବରୁ ୩ଟି ସ୍ଥାନରେ ରେକି କରିଥିଲେ ଆତଙ୍କବାଦୀ