ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ, ରାଜ୍ୟପାଳ କରାଇଲେ ଶପଥ ପାଠ

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ପୁଣିଥରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଝାଡ଼ଖଣ୍ଡର ରାଜ୍ୟପାଳ ସିପି ରାଧାକୃଷ୍ଣନ ରାଜଭବନରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ହେମନ୍ତ ସୋରେନ ତୃତୀୟ ଥର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବୁଧବାର ଦିନ ସନ୍ଧ୍ୟା ୭.୧୫ ସମୟରେ ରାଜଭବନ ପହଞ୍ଚି ରାଜ୍ୟପାଳଙ୍କୁ ଚମ୍ପାଇ ସୋରେନ ସିଏମ ପଦବୀରୁ ଇସ୍ତଫା ଦେଇଥିଲେ । ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନଙ୍କ ବାସଭବନରେ, ଇଣ୍ଡିଆ ବ୍ଲକର ବୈଠକ ହୋଇଥିଲା । ଯେଉଁଥିରେ ହେମନ୍ତ ସୋରେନଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ହେମନ୍ତ ସୋରେନଙ୍କ ନୁଆ ସରକାର ପାଇଁ ୪୫ ବିଧାୟକଙ୍କ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ଦିଆଯାଇଛି । ପୂର୍ବରୁ ୨୦୧୩, ୨୦୧୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ହେମନ୍ତ ସୋରେନ ।

ସୂଚନାଯୋଗ୍ୟ, ଜମି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନ ଦେଇଥିଲେ । ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବା ପରେ ଫେବ୍ରୁଆରୀ ୨ ତାରିଖରେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିଥିଲେ ଚମ୍ପେଇ ସୋରେନ । ଇଡି ତାଙ୍କୁ ଜାନୁଆରୀ ୩୧ ତାରିଖରେ ଗିରଫ କରିଥିଲା । ଗିରଫ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେମନ୍ତ ସୋରେନ । ତାଙ୍କୁ ୩ ମାସ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ହେମନ୍ତ ସୋରେନ ରାଞ୍ଚିର ବିର୍ସା ମୁଣ୍ଡା ହୋଟଓ୍ଵାର ଜେଲରେ ବନ୍ଦୀ ରହିଥିଲେ ।