ହେମନ୍ତ ସୋରେନ୍ ପୁଣି ହୋଇପାରନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ, ଆଜି ସନ୍ଧ୍ୟାରେ ଚମ୍ପାଇ ସୋରେନ୍ ଦେଇପାରନ୍ତି ଇସ୍ତଫା
ହେମନ୍ତ ସୋରେନ ପୁଣି ହୋଇପାରନ୍ତି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ । ସେ ମୁଖ୍ୟମନ୍ତ୍ରୀ ପଦ ପୁଣି ଥରେ ପାଇପାରନ୍ତି । ଜେଏମ୍ଏମ୍ ନେତୃତ୍ୱାଧୀନ ମିଳିତ ମଞ୍ଚର ବିଧାୟକଙ୍କ ମଧ୍ୟରେ ସହମତି ପରେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ତୃତୀୟ ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ।
ସୂତ୍ରରୁ ପ୍ରକାଶ ଯେ ରାଞ୍ଚିରେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମିଳିତ ମଞ୍ଚର ନେତା ଏବଂ ବିଧାୟକମାନେ ହେମନ୍ତ ସୋରେନଙ୍କୁ ଜେଏମ୍ଏମ୍ ବିଧାୟକ ଦଳର ନେତା ଭାବରେ ଚୟନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି ।
ସୂତ୍ରରୁ ଜଣାପଡ଼ିଛି ଯେ ଚମ୍ପାଇ ସୋରେନଙ୍କ ସ୍ଥାନରେ ହେମନ୍ତ ସୋରେନଙ୍କୁ ଆଣିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ସିଏମ୍ ଚମ୍ପାଇ ସୋରେନ୍ ଆଜି ରାତି ୮ଟାରେ ନିଜର ଇସ୍ତଫା ପତ୍ର ପ୍ରଦାନ କରିପାରନ୍ତି । ସେ ଝାଡ଼ଖଣ୍ଡର ସମସ୍ତ ବିଧାୟକ ଏବଂ ମନ୍ତ୍ରୀଙ୍କୁ ରାତି ୭ଟାରେ ରାଜଭବନ ଯିବା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ।