ଜେଏମଏମ୍ ନେତା ହେମନ୍ତ ସୋରେନ ଆଜି ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗାଙ୍ଗୱାରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ରଖିଛନ୍ତି । ସେ ନଭେମ୍ବର ୨୮ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ।
ଏହାପୂର୍ବରୁ ରାଜ୍ୟରେ ଇଣ୍ଡିଆ ମେଣ୍ଟର ନେତାମାନେ ସର୍ବସମ୍ମତି କ୍ରମେ ହେମନ୍ତ ସୋରେନଙ୍କୁ ବିଧାୟକ ଦଳର ନେତା ଭାବରେ ମନୋନୀତ କରିଥିଲେ, ଯାହା ପରେ ସୋରେନ ଅନ୍ୟ ନେତାଙ୍କ ସହ ରାଜ ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ସରକାର ଗଠନ ପାଇଁ ଦାବି ରଖିଛନ୍ତି ।
ରାଜ୍ୟପାଳଙ୍କୁ ଭେଟିବା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସୋରେନ କହିଛନ୍ତି, ମୁଁ ସରକାର ଗଠନ ପାଇଁ ଦାବି ରଖିଛି ଏବଂ ମେଣ୍ଟ ସହଯୋଗୀମାନଙ୍କ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ହସ୍ତାନ୍ତର କରିଛି । ସରକାର ଗଠନ ପାଇଁ ସେ ଆମକୁ ଆମନ୍ତ୍ରଣ କରିଛନ୍ତି ।
ନଭେମ୍ବର ୨୮ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ହେମନ୍ତ ସୋରେନ ୧୦ ଜଣ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।
ହେମନ୍ତ ସୋରେନଙ୍କ ଜେଏମଏମ୍ ନେତୃତ୍ୱାଧୀନ ମିଳିତ ମଞ୍ଚ ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଥର ପାଇଁ କ୍ଷମତା ହାସଲ କରିଛି । ୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ‘ଇଣ୍ଡିଆ’ ମେଣ୍ଟ ୫୬ଟି ଆସନ ଜିତିଛି । ରାଜ୍ୟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୪୧ଟି ଆସନ ଆବଶ୍ୟକ ହୋଇଥାଏ । ହେମନ୍ତ ସୋରେନ ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ।