ନୂଆ ମୁଖ୍ୟଙ୍କ ନାମ ଘୋଷଣା କଲା ହିଜବୁଲ୍ଲା, ହସନ ନସରୁଲ୍ଲାଙ୍କ ସମ୍ପର୍କୀୟ ହାସିମ୍ ସଫିଦ୍ଦିନଙ୍କୁ ମିଳିଲା ଦାୟିତ୍ୱ
ଇସ୍ରାଏଲ୍ ଏୟାରଷ୍ଟ୍ରାଇକ୍ରେ ହସନ ନସରୁଲ୍ଲାଙ୍କ ମୃତ୍ୟୁ ପରେ ହିଜବୁଲ୍ଲା ନିଜର ନୂଆ ମୁଖିଆଙ୍କ ନାମ ଘୋଷଣା କରିଛି । ହାସିମ୍ ସଫିଦ୍ଦିନଙ୍କୁ ବର୍ତ୍ତମାନ ହିଜବୁଲ୍ଲାର ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ସଫିଦ୍ଦିନ ହେଉଛନ୍ତି ହସନ ନସରୁଲ୍ଲାଙ୍କ ଘନିଷ୍ଠ ସମ୍ପର୍କୀୟ ।
୧୯୬୪ ମସିହାରେ ଦକ୍ଷିଣ ଲେବାନନର ଡାୟର କାନନ ଏନ୍ ନହରରେ ଜନ୍ମିତ ହାସିମ୍ ସଫିଦ୍ଦିନ ଲେବାନନର ଜଣେ ପ୍ରମୁଖ ଶିଆ ମୌଲବୀ ଏବଂ ହିଜବୁଲ୍ଲାର ବରିଷ୍ଠ ନେତା ।
କୁହାଯାଉଛି ଯେ ହାସିମ୍ ସଫିଦ୍ଦିନ ଇସ୍ରାଏଲ ଆକ୍ରମଣରୁ ଦୂରେଇ ରହିଛନ୍ତି । ସେ ହିଜବୁଲ୍ଲାର ରାଜନୈତିକ ବ୍ୟାପାର ଉପରେ ଦୃଷ୍ଟି ରଖିବା ସହିତ କାର୍ଯ୍ୟନିର୍ବାହୀ ପରିଷଦର ମଧ୍ୟ ମୁଖ୍ୟ ଅଛନ୍ତି । ଏହା ବ୍ୟତୀତ ହାସିମ୍ ଜିହାଦ କାଉନସିଲର ମଧ୍ୟ ଚେୟାରମ୍ୟାନ୍ । ସେ ସଙ୍ଗଠନର ସାମରିକ କାର୍ଯ୍ୟକଳାପର ଯୋଜନା କରନ୍ତି । ସେ ସବୁବେଳେ କଳା ପଗଡି ପିନ୍ଧନ୍ତି ।
ହାସିମ ନିଜକୁ ପ୍ରଫେଟ୍ ମହମ୍ମଦଙ୍କ ବଂଶଧର ବୋଲି ଦାବି କରନ୍ତି । କିନ୍ତୁ ୟୁଏସ୍ ଷ୍ଟେଟ୍ ଡିପାର୍ଟମେଣ୍ଟ ୨୦୧୭ରେ ତାଙ୍କୁ ଆତଙ୍କବାଦୀ ଘୋଷଣା କରିଛି । କାରଣ, ଇସ୍ରାଏଲ ହିଜବୁଲ୍ଲାର ଜଣେ ବରିଷ୍ଠ କମାଣ୍ଡରଙ୍କୁ ମାରିବା ପରେ ହାସିମ ଇସ୍ରାଏଲ ବିରୋଧରେ ଏକ ବଡ଼ ଯୁଦ୍ଧ ଆରମ୍ଭ କରିଥିଲେ । ଶତ୍ରୁମାନଙ୍କୁ କାନ୍ଦିବାକୁ ବାଧ୍ୟ କରିବାକୁ ସେ ନିଜର ଯୋଦ୍ଧାମାନଙ୍କୁ କହିଥିଲେ ।
କହି ରଖୁଛୁ, ଲେବାନନର ରାଜଧାନୀ ବେରୁଟରେ ହିଜବୁଲ୍ଲାର ମୁଖ୍ୟାଳୟ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଥିଲା । ହିଜବୁଲ୍ଲାର ହେଡ ଅଫିସ୍କୁ ଟାର୍ଗେଟ୍ କରି ଇସ୍ରାଏଲ ଏହି ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଅନେକ ହିଜବୁଲ୍ଲା ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ହିଜବୁଲ୍ଲାର ମୁଖ୍ୟ ନସରୁଲ୍ଲା ମଧ୍ୟ ନିହତ ହୋଇଥିଲେ ।