ଭାରତ-ପାକିସ୍ତାନ ସୀମାରେ ହାଇ ଆଲର୍ଟ: ଫସଲ କାଟିନପାରି ଚାଷୀ ହନ୍ତସନ୍ତ

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଏବେ ଭାରତ-ପାକିସ୍ତାନ ସୀମାରେ ହାଇ ଆଲର୍ଟ ଜାରି । ଚାଲିଛି ଗୁଳିଗୋଳା ବର୍ଷଣ । ପାକିସ୍ତାନ ଯୁଦ୍ଧ ବିରତିକୁ ଉଲ୍ଲଂଘନ କରି ଭାରତ ପଟକୁ ଗୁଳି ଚଳାଉଛି । ତେବେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ୱାଘା ସୀମା ନିକଟରେ ରହୁଥିବା ଚାଷୀମାନଙ୍କୁ ବେଶ୍ ପ୍ରଭାବିତ କରିଛି । ଗହମ ଅମଳରେ ବିଳମ୍ବ ନେଇ ବାଧ୍ୟ କରିଛି ପରିସ୍ଥିତି ।
ଯାହା ଫଳରେ ଚାଷୀମାନଙ୍କର ବହୁ ଆର୍ଥିକ କ୍ଷତି ହୋଇଥିବା ଦେଖା ଯାଇଛି । ସ୍ଥାନୀୟ ଚାଷୀମାନେ ଗତ ଏପ୍ରିଲ ୨୮ରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେମାନଙ୍କୁ ଦୁଇ ଦିନ ମଧ୍ୟରେ କାଟି ନେବାକୁ କୁହା ଯାଇଥିଲା । ଏହା ପରେ ସୀମା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ସହ କୌଣସି ଚାଷୀଙ୍କୁ ଫସଲ କାଟିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଜଣାଇ ଦିଆ ଯାଇଥିଲା ।
ତେବେ ଚାଷୀଙ୍କ କହିବା କଥା, ସାମରିକ କାର୍ଯ୍ୟକଳାପ ଏବଂ ସୁରକ୍ଷା କଟକଣା ବୃଦ୍ଧି ଯୋଗୁଁ, ପାକିସ୍ତାନର ଚାଷୀମାନଙ୍କୁ ସେମାନଙ୍କ କ୍ଷେତକୁ ଯିବାରୁ ବାରଣ କରାଯାଇଛି । ଯାହା ଫଳରେ ଫସଲ ଅମଳ ହୋଇନାହିଁ । ସୁରକ୍ଷା କାରଣରୁ ଲାଗୁ ହୋଇଥିବା କଟକଣାକୁ ନେଇ ଚାଷୀମାନେି ଚିନ୍ତାରେ ଅଛନ୍ତି । କାରଣ ଫସଲ ଅମଳ ନହେଲେ ଚଳିବେ କେମିତି ? ଚାଷୀମାନେ କହିଛନ୍ତି ଯେ, ସୀମାରେ ଥିବା ଅନେକ ଗାଁ ଲୋକ ଅମଳରେ ସାହାଯ୍ୟ କରିବା ପାଇଁ ସେମାନଙ୍କ ଚାକିରିରୁ ଛୁଟି ନେଇ ଆସିଥିଲେ, କିନ୍ତୁ ବିଳମ୍ବ ହେତୁ ବର୍ତ୍ତମାନ ସେମାନଙ୍କର ଛୁଟି ବେକାର ହୋଇ ଯାଇଛି ।
ଭାରତ-ପାକିସ୍ତାନ ଭିତରେ ଚାଲିଥିବା ଉତ୍ତେଜନା ଯୋଗୁଁ ସୀମାନ୍ତ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି, ଖାସ୍ କରି ଚାଷୀମାନେ ଏଥିରେ ପ୍ରଭାବିତ ହେବେ । ତେଣୁ ଉଭୟ ଦେଶ ପରସ୍ପର ଭିତରେ ଆପୋଷ ବୁଝାମଣା କରି ପରିସ୍ଥିତିକୁ ସୁଧାରିବା ଉଚିତ୍ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି ।
ସୂଚନା ଥାଉକି, ଗତ ସପ୍ତାହରେ କଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ହିଁ ବର୍ତ୍ତମାନ ପରିସ୍ଥିତି ସୃଷ୍ଟି କରିଛି । ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି କରିଛି । ଗତ ୨୨ ତାରିଖ ଦିନ ଆତଙ୍କୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଭାରତ, ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ ଦେଇଛି । ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରିଛି ଭାରତ । ଯୁଦ୍ଧ ହେବ ନହେବ ତାହା ତ ଭିନ୍ନ କଥା । ହେଲେ ଏଥିରେ ଭୀଷଣ ପ୍ରଭାବିତ ହେଉଛନ୍ତି ଉଭୟ ଦେଶର ସାଧାରଣ ନାଗରିକ, ଗରିବ ଚାଷୀ ଏବଂ ବ୍ୟବସାୟୀ ।
ଆହୁରି ପଢନ୍ତୁ: ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍ କିଷାନ ଟଙ୍କା, ୫୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ହେଲେ ଲାଭବାନ