କୌଣସି ଥାନା ପରିସରରେ ନିର୍ମାଣ ହେବ ନାହିଁ ମନ୍ଦିର, ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ

ମଧ୍ୟପ୍ରଦେଶ ହାଇକୋର୍ଟ ରାଜ୍ୟର ସମସ୍ତ ଥାନା ପରିସରରେ ମନ୍ଦିର ନିର୍ମାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ମାମଲାରେ ହାଇକୋର୍ଟ ସରକାରଙ୍କୁ ନୋଟିସ୍ ମଧ୍ୟ ଜାରି କରିଛନ୍ତି । ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଏସ୍ କେ କୈତ ଓ ଜଷ୍ଟିସ୍ ବିବେକ ଜୈନଙ୍କ ଖଣ୍ଡପୀଠ ଥାନା ପରିସରରେ ମନ୍ଦିର ନିର୍ମାଣକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ଉପରେ ଡିଜିପି ଏବଂ ଅନ୍ୟମାନଙ୍କୁ ନୋଟିସ୍ ପଠାଇଛନ୍ତି ।

ରିପୋର୍ଟ ଅନୁସାରେ, ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତଥା ଆଇନଜୀବୀ ଓମ୍ ପ୍ରକାଶ ଯାଦବ ରାଜ୍ୟରେ ଥାନା ପରିସରରେ ମନ୍ଦିର ନିର୍ମାଣକୁ ଚ୍ୟାଲେଞ୍ଜ କରି ଆବେଦନ ଦାଖଲ କରିଥିଲେ । ଏଥିରେ ଯୁକ୍ତି ଦର୍ଶାଯାଇଥିଲା କି, ଯେଉଁ ଖୋଲା ଜାଗାରେ ମନ୍ଦିରଗୁଡ଼ିକୁ ନିର୍ମାଣ କରାଯାଉଛି, ତାହା ସର୍ବସାଧାରଣ ସ୍ଥାନ । ନିକଟରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶକୁ ସେ ଉଲ୍ଲେଖ କରିଥିଲେ, ଯେଉଁଥିରେ ସର୍ବସାଧାରଣ ସ୍ଥାନରେ ଧାର୍ମିକ ସଂରଚନା ନିର୍ମାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

ଆବେଦନରେ କୁହାଯାଇଛି ଯେ ଥାନା ପରିସରରେ ମନ୍ଦିର ନିର୍ମାଣ ସୁପ୍ରିମକୋର୍ଟଙ୍କ ଆଦେଶର ଉଲ୍ଲଂଘନ । ସାମ୍ବିଧାନିକ ବ୍ୟବସ୍ଥାକୁ ସ୍ପଷ୍ଟ ଉଲ୍ଲଘଂନ କରାଯାଇ ମଧ୍ୟପ୍ରଦେଶର କିଛି ଥାନାରେ ପୂର୍ବରୁ ହିଁ ମନ୍ଦିର ନିର୍ମାଣ କରାଯାଇଛି । ଆବେଦନକାରୀ ନିଜ ପିଟିସନ ସହିତ କିଛି ଫଟୋ ମଧ୍ୟ ସଂଲଗ୍ନ କରିଛନ୍ତି, ଯେଉଁଥିରେ ଥାନା ଭିତରେ ବି ମନ୍ଦିର ତିଆରି ହୋଇଥିବାର ଦେଖାଯାଇଛି ।

ତେବେ ଅନେକ ଥାନା ପରିସରରେ ସାଧାରଣତଃ ମନ୍ଦିର ରହିଥାଏ । ଯଦିଓ ନିକଟରେ ସୁପ୍ରିମକୋର୍ଟ ଏକ ଆଦେଶରେ ସର୍ବସାଧାରଣ ସ୍ଥାନରେ ଧାର୍ମିକ ସଂରଚନା ନିର୍ମାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହି ଆଦେଶକୁ ଦର୍ଶାଇ ଆବେଦନକାରୀ ପିଟିସନ ଦାଖଲ କରିଥିଲେ ।

You might also like