ଭାରତ ପାଇଁ ବିପର୍ଯ୍ୟୟ ଆଣିବ ହିମାଳୟ ଭୂମିକମ୍ପ, ସତର୍କ କରାଇଲେ ଭୂବିଜ୍ଞାନୀ

ଭାରତ ପାଇଁ ବିପର୍ଯ୍ୟୟ ଆଣିବ ହିମାଳୟ ଭୂମିକମ୍ପ । ଏନେଇ ସତର୍କ କରାଇଛନ୍ତି ଭୂବିଜ୍ଞାନୀ । ମିଆଁମାରରେ ଭୟାବହ ଭୂକମ୍ପ ସାରା ବିଶ୍ବକୁ ଚକିତ କରିଦେଇଛି । ଭାରତର ଅନେକ ରାଜ୍ୟ ଭୂକଂପ ଜୋନରେ ଆସୁଥିବାରୁ ଏହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ଯଦି ମିଆଁମାର ଭଳି ଛୋଟ ଓ କମ ଜନସଂଖ୍ୟା ରାଷ୍ଟ୍ରରେ ଏଭଳି ସ୍ଥିତି ଉପଜୁଛି ଭାରତରେ ସ୍ଥିତି କଣ ହେବ ବୋଲି ପ୍ରଶ୍ନ ଉଠିଛି । ସେହିଭଳି ଗତ ୨୮ ଦିନ ଭିତରେ ୧୪ ଥର ଭୂମିକମ୍ପ ହୋଇଛି ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪ ରୁ ଅଧିକ ଥିଲା ।
ଦେଶର ଭୂତତ୍ତ୍ୱବିତମାନେ ଜାନୁଆରୀ ମାସରେ ହିଁ ଆଶଙ୍କା ପ୍ରକାଶ କରିଥିଲେ ଯେ ଆଗାମୀ ଦିନରେ ଏପରି ଭୂମିକମ୍ପର ଆଶଙ୍କା ବୃଦ୍ଧି ପାଇବ । ଯେତେବେଳେ ଉତ୍ତରକାଶୀରେ ୭ ଦିନରେ ୯ଥର ଭୂମିକମ୍ପ ରେକର୍ଡ କରାଯାଇଥିଲା । ଦେଶର ଉତ୍ତର ଭାଗ ଏବଂ ହିମାଳୟରେ ଅନୁଭୂତ ହେଉଥିବା ନିରନ୍ତର ଭୂମିକମ୍ପ କମ୍ପନ ମଧ୍ୟରେ କ’ଣ ସମ୍ପର୍କ ଅଛି? ହିମାଳୟରେ କିଛି ରହସ୍ୟମୟ ଭୂତାତ୍ତ୍ୱିକ କାର୍ଯ୍ୟକଳାପ ଘଟୁଛି କି…? ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଭାରତରେ ବଡ଼ ଧରଣର ଭୂକଂପ ଆଶଙ୍କା ରହିଛି ।
ପୃଥିବୀର ସବୁଠାରୁ ଅଧିକ ଭୂକମ୍ପ ପ୍ରବଣ ଅଞ୍ଚଳଗୁଡ଼ିକ ମଧ୍ୟରୁ ଭାରତ ଅନ୍ୟତମ । ଭାରତୀୟ ଓ ୟୁରୋଏସିଆନ ପ୍ଲେଟ ମଧ୍ୟରେ ଧକ୍କା ହେଇଛି । ଏଥିଯୋଗୁ ହିମାଳୟ ପର୍ବତ ତଳେ ପ୍ରବଳ ଚାପ ସୃଷ୍ଟି ହେଉଛି । ଯାହାକୁ ନେଇ ହିମାଳୟରେ ଆଗାମୀ ଦିନରେ ବଡ଼ ଧରଣର ଭୂକଂପର ଆଶଙ୍କା ରହିଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୮ରୁ ଅଧିକ ରହିପାରେ । ଆଉ ଏହି ତୀବ୍ରତର ଭୂକଂପ ଭାରତ ପାଇଁ ବିପର୍ଯ୍ୟୟର କାରଣ ହେବ । ଭାରତର ପ୍ରାୟ ୫୯ ପ୍ରତିଶତ ଅଞ୍ଚଳରେ ଭୂକମ୍ପ ବିପଦ ରହିଛି ।
ହିମାଚଳ ପ୍ରଦେଶ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଅଧିକ ବିପଦ ଆଶଙ୍କା ରହିଛି । ସେହିପରି ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ବିପଦପୂର୍ଣ୍ଣ ଜୋନରେ ଅଛନ୍ତି । ଅତୀତରେ ଭାରତରେ ଏକାଧିକ ଭୂକଂପ ହୋଇଛି । ଯେମିତିକି ୧୯୦୫ରେ କାଙ୍ଗ୍ରା ଭୂକମ୍ପ, ୧୯୩୪ରେ ବିହାର ଭୂକଂପ, ୧୯୫୦ରେ ଆସାମ ଭୂକଂପ, ୨୦୦୧ରେ ଗୁଜୁରାଟରେ ବଡ଼ ଧରଣର ଭୂମିକମ୍ପ ହୋଇଥିଲା । ଭୂକଂପ ଆଶଙ୍କାକୁ ଦୃଷ୍ଟିରେ ରଖି ସୁରକ୍ଷିତ କୋଠା ନିର୍ମାଣ କରାଯାଉନାହିଁ ।
ସେଥିପାଇଁ ଯେତେବେଳେ ଭୂକମ୍ପ ହେବ କୋଠା ଭୁଶୁଡ଼ିବ ଯାହାଫଳରେ ମୃତାହତଙ୍କ ସଂଖ୍ୟା ଅଧିକ ରହିବ ବୋଲି କୁହାଯାଉଛି । ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ଯେ ଏହା କେବଳ ଏକ ଆକଳନ ନୁହେଁ । ନିଶ୍ଚିତ ଭାବରେ ଏହି ଭୂକମ୍ପ ଦିନେ ନା ଦିନେ ଆସିବ । ଦୁର୍ଭାଗ୍ୟବଶତଃ, ବୈଜ୍ଞାନିକମାନେ ଏହାର ସଠିକ୍ ସମୟ ବିଷୟରେ କୌଣସି ସୂଚନା ଦେଇ ପାରୁନାହାଁନ୍ତି । ଯାହାର ଫଳାଫଳ ଆଶ୍ଚର୍ଯ୍ୟଜନକ ହୋଇପାରେ । ଏହି ଭୂମିକମ୍ପ ଜାତୀୟ ରାଜଧାନୀ ଦିଲ୍ଲୀକୁ ଧ୍ୱଂସ କରିପାରେ ।
Also read: ମିଆଁମାର ପରେ ପାକିସ୍ତାନର ଭୂମିକମ୍ପ, ରିକ୍ଟର ସ୍କେଲର ତୀବ୍ରତା ୪.୩