ହିଣ୍ଡେନବର୍ଗର ନୂଆ ରିପୋର୍ଟ: SEBI ଅଧ୍ୟକ୍ଷ ଓ ଆଦାନୀ ଗ୍ରୁପ୍‌ ମଧ୍ୟରେ ରହିଛି ସମ୍ବନ୍ଧ

ପୁଣି ହିଣ୍ଡେନବର୍ଗ ଝଡ଼ । ଟାର୍ଗେଟରେ ସେବି (SEBI) ମୁଖ୍ୟ ମାଧବୀ ପୁରୀ ବୁଚ୍ । ଆଦାନୀ ଗ୍ରୁପରେ ମାଧବୀ ଓ ତାଙ୍କ ସ୍ୱାମୀଙ୍କ ଅଂଶଧନ ରହିଥିବା ରିପୋର୍ଟ ପ୍ରକାଶ ପରେ ବିବାଦ ଆରମ୍ଭ ହୋଇଛି । ହିଣ୍ଡେନବର୍ଗ ରିପୋର୍ଟରେ ଆଦାନୀ ଗ୍ରୁପର ବରମୁଡ଼ା ଏବଂ ମରିସସ ଫଣ୍ଡରେ ମାଧବୀ ପୁରୀ ବୁଚ୍ ଓ ତାଙ୍କ ସ୍ୱାମୀ ଧବଲ ବୁଚ୍‌ଙ୍କ ଅଂଶଧନ ରହିଥିବା କୁହାଯାଇଛି ।

ଏ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି । ହିଣ୍ଡେନବର୍ଗରେ ପ୍ରକାଶିତ ରିପୋର୍ଟର ନିରପେକ୍ଷ ଯାଞ୍ଚ ପାଇଁ ଦାବି କରିଛନ୍ତି କଂଗ୍ରେସ ସମେତ ପ୍ରମୁଖ ବିରୋଧୀ ଦଳ । କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସଂସ୍ଥାରେ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଛନ୍ତି । ସଂଯୁକ୍ତ ସଂସଦୀୟ କମିଟି ଦ୍ୱାରା ଏହାର ଯାଞ୍ଚ ନେଇ ଦାବି କରିଛନ୍ତି କଂଗ୍ରେସ ନେତା ପବନ ଖେଡ଼ା । ଆଦାନୀଙ୍କ ସଂସ୍ଥାରେ ଅଂଶଧନ ଥିବା ସତ୍ତ୍ୱେ ମାଧବୀଙ୍କୁ ସେବିର ଅଧ୍ୟକ୍ଷ ନିଯୁକ୍ତି ବେଳେ କେନ୍ଦ୍ର ସରକାର କିଭଳି ଜାଣି ପାରିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଏ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।

ବିଜେପି କିନ୍ତୁ ବିରୋଧୀଙ୍କୁ ଟାର୍ଗେଟ କରିଛି । ସଂସଦ ଅଧିବେଶନ ଯେତେବେଳେ ବି ଆରମ୍ଭ ହୁଏ, ସେତେବେଳେ ବିଦେଶରୁ ଏଭଳି ରିପୋର୍ଟ ପ୍ରକାଶ ପାଇଥାଏ । ଦେଶରେ ଅସ୍ଥିରତା ଓ ଅରାଜକତା ସୃଷ୍ଟି କରିବା ଏମାନଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ବିଜେପି ନେତା ସୁଧାଂଶୁ ତ୍ରିବେଦୀ ।

ହିଣ୍ଡେନବର୍ଗ ଦ୍ୱାରା ପ୍ରକାଶିତ ରିପୋର୍ଟକୁ ଖଣ୍ଡନ କରିଛନ୍ତି ସେବି ଅଧ୍ୟକ୍ଷ ମାଧବୀ ଧବଲ ବୁଚ ଓ ତାଙ୍କ ସ୍ୱାମୀ । ଏହି ଅଭିଯୋଗ ଭିତ୍ତିହୀନ ଓ ଆଧାରଶୂନ୍ୟ । ରିପୋର୍ଟ ମାଧ୍ୟମରେ ତାଙ୍କର ଚରିତ୍ର ସଂହାର କରାଯାଇଛି । ଏଥିରେ କୌଣସି ସତ୍ୟତା ନାହିଁ । ସେବିର କାର୍ଯ୍ୟାନୁଷ୍ଠାନକୁ ଦମନ କରିବାକୁ ଏହି ରିପୋର୍ଟ ପ୍ରକାଶ କରାଯାଇଥିବା ପାଲଟା ଅଭିଯୋଗ ଆଣିଛନ୍ତି ସେବି ଅଧ୍ୟକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.