ଦକ୍ଷିଣ ଭାରତରେ ତୀବ୍ର ବିରୋଧ, ସ୍କୁଲରେ ହିନ୍ଦୀ ତୃତୀୟ ଭାଷା ଭାବେ ବାଧ୍ୟତାମୂଳକ ନୁହେଁ

ସ୍କୁଲରେ ହିନ୍ଦୀକୁ ତୃତୀୟ ଭାଷା ଭାବେ ବାଧ୍ୟତାମୂଳକ ପଢାଇବା ନିର୍ଦ୍ଦେଶକୁ ଦକ୍ଷିଣ ଭାରତରେ ତୀବ୍ର ବିରୋଧ। ଏହା ଏବେ ରାଜନୈତିକ ରୂପ ନେଇଛି। ଡିଏମକେ ମୁଖ୍ୟ ଷ୍ଟାଲିନ କହିଛନ୍ତି ତାମିଲମାନଙ୍କ ରକ୍ତରେ ହିନ୍ଦୀ ରହିବ ନାହିଁ। ତାମିଲନାଡୁରେ ହିନ୍ଦୀ ପଢାଇବାକୁ ବାଧ୍ୟ କରିବା ନିର୍ଦ୍ଦେଶ ବହୁ ମୂଲ୍ୟ ଦେବାକୁ ପଡ଼ିବ। କେନ୍ଦ୍ର ସରକାର ଏହି ନିଷ୍ପତ୍ତିରୁ ଦୂରେଇ ରୁହନ୍ତୁ। ଡିଏମକେ ଏହାକୁ ବିରୋଧ କରିବ ବୋଲି କହିଛନ୍ତି ଦଳର ନେତା ଟି. ଶିବା। ପରିଣାମ ଯାହା ହେଲେ ବି ଦଳ ଏହାକୁ ବିରୋଧ କରିବ ବୋଲି ସେ କହିଛନ୍ତି। ସେହିପରି ଅଭିନେତାରୁ ନେତା ପାଲଟିଥିବା ମାକଲ ନିଧି ମାୟମ ଦଳର ସୁପ୍ରିମୋ କମଲ ହାସନ ମଧ୍ୟ ତୀବ୍ର ବିରୋଧ କରିଛନ୍ତି। କମଲ କହିଛନ୍ତି, ସେ ବହୁ ହିନ୍ଦୀ ଚଳଚିତ୍ରରେ ଅଭିନୟ କରିଛନ୍ତି। କିନ୍ତୁ ହିନ୍ଦୀ ଭାଷାକୁ କାହା ଉପରେ ଲଦି ଦିଆଯିବା ଉଚିତ ନୁହେଁ।

ତାମିଲ ଲୋକେ ମଧ୍ୟ ଏହାକୁ ସହଜରେ ଗ୍ରହଣ କରିବେ ନାହିଁ। ସେପଟେ ତାମିଲନାଡୁ ପରେ କେରଳରେ ମଧ୍ୟ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ଗତ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଶିକ୍ଷା ନୀତିରେ ସ୍କୁଲ ଶିକ୍ଷାରେ ୩ଭାଷା ବିଶିଷ୍ଟ ପାଠ୍ୟକ୍ରମ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ତିନି ଭାଷା ମଧ୍ୟରେ ଇଂରାଜୀ, ହିନ୍ଦୀ ଓ ଅନ୍ୟ ଏକ ଆଞ୍ଚଳିକ ଭାଷା ରହିବ। ତେବେ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହାକୁ ଖଣ୍ଡନ କରିଛନ୍ତି। ଏଭଳି କୌଣସି ନିଷ୍ପତ୍ତି ହୋଇନଥିବା ବେଳେ ଲୋକଙ୍କ ମଧ୍ୟରେ ଗୁଜବ ସୃଷ୍ଟି କରାଯାଉଥିବା ସେ କହିଛନ୍ତି।

Leave A Reply

Your email address will not be published.