ଆଉ ଏକ ଅନର କିଲିଂ: ଅନ୍ୟ ଧର୍ମର ପୁଅକୁ ଭଲ ପାଇବାରୁ ଝିଅକୁ ଜିଅଁନ୍ତା ଜାଳିଦେଲେ ପରିବାର ଲୋକେ

ଉତ୍ତର ପ୍ରଦେଶରେ ଅନର କିଲିଂର ଆଉ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ପରିବାର ଲୋକ ହିଁ ଟଙ୍କା ଦେଇ ନିଜ ଝିଅକୁ ଜିଅଁନ୍ତା ଜଳାଇ ଦେଇଛନ୍ତି। ଘଟଣା ଘଟିଛି ସନ୍ଥ କବୀର ନଗରରେ। ଯୁବତୀ ଜଣେ ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ଭଲ ପାଉଥିବାରୁ ପରିବାର ଲୋକ ନିଜ ଝିଅକୁ ହିଁ ମାରିଦେଇଛନ୍ତି। ଏହି ମାମଲାରେ ପୋଲିସ ପୀଡ଼ିତାଙ୍କ ବାପା, ଭାଇ, ଭିଣୋଇ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ପୋଲିସର କହିବାନୁସାରେ, ଯୁବତୀ ଜଣକ ଜଣେ ମୁସଲମାନ୍ ସମ୍ପ୍ରଦାୟର ଯୁବକକୁ ଭଲ ପାଉଥିଲେ। ପରିବାର ଲୋକେ ଝିଅର ଏହି ପ୍ରେମକୁ ବିରୋଧ କରୁଥିଲେ। କିନ୍ତୁ ଯୁବତୀ ଥିଲେ ନଛୋଡ଼ବନ୍ଧା। ସେ ପରିବାର ଲୋକଙ୍କ ବିରୋଧ ପରେ ବି ପ୍ରେମକୁ ଛାଡ଼ି ନଥିଲେ। ଫଳରେ ପରିବାରର ସମ୍ମାନ ପାଇଁ ଘର ଲୋକେ ନିଜ ଝିଅକୁ ମାରିବାକୁ ନିଷ୍ପତ୍ତି ନେଇଥିଲେ। ତାପରେ ରଚିଥିଲେ ଷଡ଼ଯନ୍ତ୍ର। ଏଥିପାଇଁ ସେମାନେ ସୁପାରୀ କିଲର ବରୁଣ ତିଓ୍ଵାରୀକୁ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ।
ପରେ ଯୋଜନା ମୁତାବକ, ପରିବାର ଲୋକେ ଝିଅକୁ ବୁଲାଇବାକୁ କହି ଜଙ୍ଗଲ ନେଇଥିଲେ। ସେଠାରେ ସେମାନେ ଯୁବତୀଙ୍କ ହାତ ଗୋଡ଼ ବାନ୍ଧି ଦେଇ ପେଟ୍ରୋଲ ଢାଳି ଜିଅଁନ୍ତା ଜାଳି ଦେଇଥିଲେ। ଝିଅ ମରିଯିବା ପରେ ଅର୍ଦ୍ଧଦଗ୍ଧ ଶବକୁ ସେଠାରେ ହିଁ ଛାଡ଼ି ଦେଇ ସେମାନେ ଚାଲି ଆସିଥିଲେ। ମାତ୍ର ଫେବ୍ରୁଆରୀ ୪ରେ ଏକ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ଶବ ପଡ଼ିଥିବା ଖବର ପୋଲିସ ପାଖରେ ପହଞ୍ଚିଥିଲା। ପୋଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ମୃତ ଯୁବତୀ ହେଉଛନ୍ତି ରଞ୍ଜନା ଯାଦବ। ପରେ ପୋଲିସ ପରିବାର ପାଖରେ ପହଞ୍ଚି ପଚରାଉଚରା କରିଥିଲା। ତଦନ୍ତ ବେଳେ ସମସ୍ତେ ହତ୍ୟା କରିଥିବା ମାନିଥିଲେ।
ଏଥିରେ ସହଯୋଗ କରିଥିଲେ ଯୁବତୀଙ୍କ ବାପା କୈଳାଶ ଯାଦବ, ଭାଇ ଅଜିତ୍ ଯାଦବ, ଭିଣୋଇ ସତ୍ୟପ୍ରକାଶ ଯାଦବ ଓ ସୀତାରାମ ଯାଦବ। ରବିବାର ପୋଲିସ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ହତ୍ୟାରେ ବ୍ୟବହୃତ ପେଟ୍ରୋଲ କଣ୍ଟେନର ଓ ବାଇକ୍ ମଧ୍ୟ ଜବତ କରିଛି। ମାତ୍ର ଏବେ ଯାଏଁ ସୁପାରିକିଲର ଫେରାର ଥିବା ଜଣାଯାଇଛି।