ପୁଣେ ବସରେ ଜଳି ୪ ଜଣଙ୍କ ମୃତ୍ୟୁ ଘଟଣା : ଦରମା ନ ବଢିବା ଏବଂ ବୋନସ ନ ମିଳିବା ଯୋଗୁଁ ଡ୍ରାଇଭର ରଚିଥିଲା ଏଭଳି କାଣ୍ଡ

ମହାରାଷ୍ଟ୍ରର ପୁଣେରେ ଥିବା ହିଞ୍ଜେୱାଡିରେ ଏକ ଟେମ୍ପୋ ଟ୍ରାଭେଲର ଗାଡ଼ିରେ ନିଆଁ ଲାଗିଯିବାରୁ ଗ୍ରାଫିକ୍ସ କମ୍ପାନୀର ଚାରି ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ୧୯ ମାର୍ଚ୍ଚରେ ଘଟିଥିବା ଏହି ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପ୍ରଥମେ ଏହାକୁ ଦୁର୍ଘଟଣା ବୋଲି ପୋଲିଭାବିଥିବା ବେଳେ ଏବେ ଏହି ଘଟଣା ପଛର ମାଷ୍ଟରମାଇଣ୍ଡ କିଏ ତାହା ସାମ୍ନାକୁ ଆସିଛି । ଏହି ଘଟଣାରେ କୌଣସି ବୈଷୟିକ ତ୍ରୁଟି ଯୋଗୁଁ ନୁହେଁ ବରଂ ଗାଡ଼ି ଡ୍ରାଇଭର ଜାଣିଶୁଣି ନିଆଁ ଲାଗିଥିବା ଜଣାପଡିଛି । ଡ୍ରାଇଭର ଜଣକ ନିଜ ଦୋଷ ସ୍ବୀକାର କରିଛନ୍ତି । ଦରମା ବଢିନଥିବାରୁ ନିରାଶ ଥିଲେ ଗାଡି ଡ୍ରାଇଭର, ତେଣୁ ଏଭଳି ଘଟଣା ଘଟାଇଥିଲେ ।
ଖବର ମୁତାବକ, ମହାରାଷ୍ଟ୍ରର ପୁଣେରେ ଥିବା ହିଞ୍ଜେୱାଡିରେ ଏକ ଟେମ୍ପୋ ଟ୍ରାଭେଲର ଗାଡ଼ିରେ ନିଆଁ ଲାଗିଯିବାରୁ ଗ୍ରାଫିକ୍ସ କମ୍ପାନିର ଚାରି ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ଡ୍ରାଇଭର ଜଣକ କର୍ମଚାରୀଙ୍କ ସହ ବିବାଦ ଏବଂ ଦରମା ବୃଦ୍ଧି ନହେବା ଯୋଗୁଁ ଟ୍ରାଭେଲର ଡ୍ରାଇଭର ରାଗିଯାଇ ଏଭଳି କାଣ୍ଡ ଘଟାଇଥିଲେ । ପୋଲିସ ଡ୍ରାଇଭରକୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିଛନ୍ତି ।
ପୋଲିସ ମୁତାବକ, ଅଭିଯୁକ୍ତ ଡ୍ରାଇଭରର ନାମ ଜନାର୍ଦ୍ଦନ ହମ୍ବାର୍ଡିକର । ସେ ପୁଣେର କୋଥରୁଡରେ ରହୁଥିଲା । ଅଭିଯୁକ୍ତ ଜଣକ ହିଞ୍ଜେୱାଡିରେ ଅବସ୍ଥିତ ଏକ ଗ୍ରାଫିକ୍ସ କମ୍ପାନୀର ଗାଡ଼ି ଡ୍ରାଇଭର ଭାବେ କାମ କରୁଥିଲେ । ମାର୍ଚ୍ଚ ୧୯ ବୁଧବାର ସକାଳ ୮ଟାରେ ହିଞ୍ଜେୱାଡିର ୱିପ୍ରୋ ସର୍କଲ ଫେଜ୍ ୱାନ୍ ଅଞ୍ଚଳରେ ଏକ ଟେମ୍ପୋ ଟ୍ରାଭେଲର୍ରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ଯୋଗୁଁ ଗାଡ଼ି ଭିତରେ ଥିବା ଚାରି ଜଣ କର୍ମଚାରୀ ପୋଡ଼ି ହୋଇ ମୃତ୍ୟୁବରଣ କରିଥିଲେ ।
ମାର୍ଚ୍ଚ ୧୮ ତାରିଖରେ ଗାଡ଼ି ଭିତରେ ଦହନଶୀଳ ରସାୟନ ବୋତଲ ଭର୍ତ୍ତି କରି ରଖିଥିଲା ଡ୍ରାଇଭର । ନିଆଁ ବ୍ୟାପିବା ବୋଲି ସିଟ ତଳେ କପଡ଼ା ବିଛାଇଥିଲା । ବୁଧବାର ୧୯ ମାର୍ଚ୍ଚରେ ଅନ୍ୟ କର୍ମଚାରୀଙ୍କୁ ଆଣିବା ପାଇଁ ଗାଡ଼ି ଯାଇଥିଲା । ଏହି ସମୟରେ ଦିଆସିଲି କିଣି ସିଟ୍ ତଳେ ଥିବା କପଡାରେ ନିଆଁ ଲଗାଇଥିଲେ । ନିଆଁ ଲାଗିବା ପରେ ନିଜେ ଗାଡ଼ିରୁ ଡେଇଁ ପଡିଥିଲେ ।
ତେବେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରିଥିଲା । ହେଲେ ପୋଲିସ ଡ୍ରାଇଭରର ଏଭଳି କାଣ୍ଡରେ ସନ୍ଦେହ କରିଥିଲା । ଡ୍ରାଇଭର ଜଣକ ବାରମ୍ବାର ବେହୋସ ହେବାର ନାଟକ କରୁଥିଲା । ଏହାପରେ ଏକ ସିସିଟିଭି ଫୁଟେଜରେ ଡ୍ରାଇଭରର କାରନାମା ସାମ୍ନାକୁ ଆସିଥିଲା । ପୋଲିସ ତଦନ୍ତ କରି ପଚରାଉଚରା କରିବା ପରେ ଡ୍ରାଇଭର ଜଣକ ନିଜ ସତ ଓଗାଳିଥିଲା । ଡ୍ରାଇଭର ଜଣକର ଦରମା ନ ବଢିବା ଏବଂ ଦୀପାବଳି ବୋନସ ନ ମିଳିବାରୁ ସେ ଏଭଳି କାଣ୍ଡ ରଚିଥିଲା । କମ୍ପାନୀର କର୍ମଚାରୀ ତାଙ୍କ ସହିତ ଅପମାନଜନକ ବ୍ୟବହାର ଓ ଦରମା କାଟି ଦିଆଯିବାରୁ ଜନାର୍ଦ୍ଦନ ଏଭଳି କରିଥିବା ଜଣାଯାଇଛି ।
Also Read : ରାଜସ୍ଥାନ ବିକାନେରରେ କାର୍ ଉପରେ ଓଲଟିଲା ଟ୍ରକ, ଗୋଟିଏ ପରିବାର ୬ ମୃତ୍ୟୁ