ଟାଇଟାନିକ୍‌ ପୋଜ୍‌ ଦେବା ଚକ୍କରରେ ଇତିହାସର ହେଲା ପୁନରାବୃତ୍ତି: ସମୁଦ୍ରରେ ବୁଡ଼ିଗଲେ ପ୍ରେମୀ ଯୁଗଳ, ବଞ୍ଚିଗଲେ ପ୍ରେମିକା

୧୯୯୭ ମସିହାରେ ରିଲିଜ୍‌ ହୋଇଥିବା ହଲିଉଡ୍‌ ଫିଲ୍ମ ଟାଇଟାନିକ୍‌ କଥା ସମସ୍ତଙ୍କର ମନେ ଥିବ। ଏହି ଫିଲ୍ମ ସେତେବେଳେ ସାରା ଦୁନିଆରେ ସୁପରଡୁପର ହିଟ୍‌ ହୋଇଥିଲା। ଖାସ୍‌ କରି ଯୁବ ପିଢ଼ିଙ୍କୁ ଏହି ଫିଲ୍ମରେ ହିରୋ ହିରୋଇନ୍‌ଙ୍କ ରୋମାନ୍ସ ସବୁଠୁ ଅଧିକ ପସନ୍ଦ ଆସିଥିଲା। ଫିଲ୍ମର ସବୁଠୁ ରୋମାଞ୍ଚକ ସିନ୍‌ ଥିଲା ଜାହାଜର ଧାରରେ ହିରୋ-ହିରୋଇନ୍‌ଙ୍କ ରୋମାଣ୍ଟିକ୍‌ ପୋଜ୍‌ରେ ଠିଆ ହୋଇଥିବା ଦୃଶ୍ୟ। ଏହି ରୋମାଣ୍ଟିକ୍‌ ପୋଜ୍‌କୁ ‘କିଙ୍ଗ୍‌ ଅଫ୍‌ ଦ ଓ୍ଵାର୍ଲ୍ଡ’ ବୋଲି କୁହାଯାଏ। ତେବେ ଏହି ସିନ୍‌ କରିବା ଏବେ ଏକ ପ୍ରେମୀ ଯୁଗଳଙ୍କ ପାଇଁ ମହଙ୍ଗା ପଡ଼ିଛି।

ଟାଇଟାନିକ୍‌ ସିନ୍‌ ଭଳି ରୋମାଣ୍ଟିକ୍‌ ପୋଜ୍‌ ଦେଉଥିବା ଏକ ଯୋଡ଼ିଙ୍କୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିଛି। ତୁର୍କୀରେ ରୋମାଣ୍ଟିକ୍‌ ସିନ୍‌ କରୁଥିବା ବେଳେ ଏକ ପ୍ରେମୀ ଯୁଗଳ ଟିକେ ଅସାବଧାନତା ଯୋଗୁ ଦୁର୍ଘଟଣାର ଶିକାର ହୋଇଛନ୍ତି। ଫଳରେ ପ୍ରେମିକର ମୃତ୍ୟୁ ଘଟିଥିବା ବେଳେ ପ୍ରେମିକା ଗୁରୁତର ହୋଇଛନ୍ତି।


ତୁର୍କୀର ଉତ୍ତର-ପଶ୍ଚିମ ପ୍ରାନ୍ତ କୋକେଲୀର ଇଜମିତ ମରିନା ପିୟରା ଫୁରକାନ୍‌ ସିଫ୍ଟସୀ ଓ ମାଇନ୍‌ ଦିନାର ନାମକ ପ୍ରେମୀ ଯୁଗଳ ସମୁଦ୍ର କୂଳରେ ଟାଇଟାନିକର ରୋମାଣ୍ଟିକ୍‌ ପୋଜ୍‌କୁ ରିକ୍ରିଏଟ୍‌ କରିବାକୁ ଚାହୁଁଥିଲେ। କିନ୍ତୁ ଉଭୟଙ୍କ ପାଦ ଖସିଯିବାରୁ ସମୁଦ୍ରରେ ଖସି ପଡ଼ିଥିଲେ। ଏହି ଯୋଡ଼ି ପୋଜ୍‌ ଦେବା ପୂର୍ବରୁ ଫିସିଂ କରିଥିଲେ ଓ ଏହି ସମୟରେ ମଦ ବି ପିଇଥିଲେ। ଏଣୁ ସମ୍ଭବତଃ ମଦ ନିଶା ଯୋଗୁ ପୋଜ୍‌ ଦେବା ବେଳେ ତାଙ୍କ ପାଦ ଖସିଯାଇଥାଇପାରେ ବୋଲି ଅନୁମାନ କରାଯାଉଛି।

Titanic2

ସେଠାରେ ଉପସ୍ଥିତ ମତ୍ସଜୀବୀ ମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ କେବଳ ଯୁବତୀଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଯୁବକଙ୍କର କୌଣସି ଖୋଜଖବର ପାଇ ନଥିଲେ। ଫଳରେ ଏମରଜେନ୍ସି ସର୍ଭିସକୁ ଡାକିଥିଲେ। ୨ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ପ୍ରେମିକଙ୍କ ଶବ ଜବତ କରାଯାଇଥିଲା।

ହସ୍ପିଟାଲରେ ଚିକିତ୍ସା ପରେ ହୋସ୍‌ ଆସିବାରୁ ପ୍ରେମିକା ସବୁ କଥା କହିଥିଲେ। ସ୍ଥାନୀୟ ସିସି ଟିଭି ଫୁଟେଜ୍‌ରେ ଉଭୟେ ମାଛ ଧରୁଥିବା ଦେଖାଯାଇଥିଲା। ତା’ ପରଠାରୁ ସେମାନଙ୍କର କୌଣସି ଭିଡିଓ ସିସିଟିଭିରେ କଏଦ ହୋଇ ନାହିଁ। ଉଭୟେ ଟାଇଟାନିକ୍‌ ପୋଜ୍‌କୁ ରିକ୍ରିଏଟ୍‌ କରିବାକୁ ଚାହୁଁଥିଲେ। କିନ୍ତୁ ଦୁର୍ଭାଗ୍ୟ ବଶତଃ ତାଙ୍କର ବି ଶେଷ ସିନ୍‌ ଫିଲ୍ମର ସିନ୍‌ ଭଳି ହୋଇଗଲା ଓ ହିରୋ ମରିଗଲେ ହିରୋଇନ୍‌ ବଞ୍ଚିଗଲେ। ତେବେ ଏହି ଘଟଣା ପରେ ଯୁବତୀ ଜଣକ ମୁକ ହୋଇଯାଇଥିବା ଜଣାଯାଇଛି।

Also Read: ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର, ୧୪% ବଢ଼ିଲା ମହଙ୍ଗା ଭତ୍ତା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.