ମୁମ୍ବାଇରେ ହିଟ୍ ଆଣ୍ଡ ରନ୍: ୨ ବାଇକ୍ ଆରୋହୀ ଯୁବକଙ୍କୁ ଧକ୍କା ଦେଲା କାର୍, ଚିକିତ୍ସା ବେଳେ ଜଣଙ୍କ ମୃତ୍ୟୁ
ମୁମ୍ବାଇରେ ହିଟ୍ ଆଣ୍ଡ ରନ୍ ମାମଲା ଥମିବାର ନାଁ ଧରୁନାହିଁ । ଗତ ଶୁକ୍ରବାର ରାତିରେ ଦହିସର ଅଞ୍ଚଳରେ ଏକ ଦ୍ରୁତଗାମୀ କାର୍ ଦୁଇ ବାଇକ୍ ଆରୋହୀ ଯୁବକଙ୍କୁ ଜୋର୍ରେ ଧକ୍କା ଦେଇଥିଲା । ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ଦହିସର ଥାନାରେ ମାମଲା ରୁଜୁ କରାଯାଇଛି ଏବଂ ଅଭିଯୁକ୍ତ କାର୍ ଚାଳକଙ୍କୁ ପୋଲିସ ଖୋଜାଖୋଜି କରୁଛି ।
ପୋଲିସ ସୂଚନା ଅନୁସାରେ, ଏହି ଘଟଣା ୧୩ ତାରିଖ ଅପରାହ୍ନ ୪ଟାରେ ଘଟିଥିଲା । ଅଭିଯୋଗକାରୀ କରଣ ରାଜପୂତ (୧୮) ନିଜ ସାଙ୍ଗ ଆଦିତ୍ୟଙ୍କ ସହ ଦହିସରରୁ କାନ୍ଦିଓ୍ୱଲି ଆଡ଼କୁ ବାଇକ୍ ଚଲାଇ ଯାଉଥିଲେ । ତୃତୀୟ ସାଙ୍ଗ ପୀୟୂଷ ଶୁକ୍ଳା ମଧ୍ୟ ସେମାନଙ୍କ ସହିତ ବାଇକ୍ ଚଲାଇ ଯାଉଥିଲେ ।
ତିନିଜଣ ଶୈଳେନ୍ଦ୍ର ହାଇସ୍କୁଲ ବ୍ରିଜ୍ ତଳେ ପହଞ୍ଚିବା ମାତ୍ରେ ପଛପଟୁ ଆସୁଥିବା ଏକ ଦ୍ରୁତଗାମୀ କାର୍ କରଣଙ୍କ ବାଇକ୍କୁ ଜୋର୍ରେ ଧକ୍କା ଦେଇଥିଲା । ଏଥିରେ କରଣ ଓ ଆଦିତ୍ୟ ଉଭୟ ଗୁରୁତର ଆହତ ହୋଇଥିଲେ । ପଛରେ ବସିଥିବା ଆଦିତ୍ୟଙ୍କୁ ଗଭୀର ଆଘାତ ଲାଗିଥିଲା ଏବଂ ସେଠାରେ ସେ ବେହୋଶ୍ ହୋଇଯାଇଥିଲେ ।
ଘଟଣା ପରେ କାର୍ ଚାଳକ ତୁରନ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । କରଣ ଓ ଆଦିତ୍ୟଙ୍କୁ ସ୍ଥାନୀୟ ଲୋକେ ଅଟୋରିକ୍ସା ଯୋଗେ କାନ୍ଦିଓ୍ୱାଲି ହସ୍ପିଟାଲ ନେଇଥିଲେ । ହେଲେ ସେଠାରେ ଚିକିତ୍ସା ସମୟରେ ଆଦିତ୍ୟଙ୍କର ମୃତ୍ୟୁ ଘଟିଥିଲା ।
ଏ ନେଇ ଥାନାରେ ମୋଟର ଯାନ ଅଧିନିୟମ ଏବଂ ଭାରତୀୟ ନ୍ୟାୟ ସଂହିତାର ଧାରା ଅଧୀନରେ ମାମଲା ରୁଜୁ କରାଯାଇଛି । ପୋଲିସ ଅଭିଯୁକ୍ତ କାର୍ ଚାଳକଙ୍କୁ ଖୋଜୁଛି ।