ସ୍ପୁଟନିକ-ଭି ଭ୍ୟାକ୍ସିନ୍‌ରୁ HIV ଆଶଙ୍କା! ଦକ୍ଷିଣ ଆଫ୍ରିକା ପରେ ନାମିବିୟା ମଧ୍ୟ ଟିକା ବ୍ୟବହାର ଉପରେ ଲଗାଇଲା ରୋକ୍‌

ସ୍ପୁଟନିକ-ଭି ଭ୍ୟାକ୍ସିନ୍‌କୁ ନେଇ ବଢ଼ୁଛି HIV ଆଶଙ୍କା। ପ୍ରଥମେ ଦକ୍ଷିଣ ଆଫ୍ରିକା, ଆଉ ଏବେ ନାମିବିୟା ଏହି ରୁଷୀୟ କରୋନା ଭ୍ୟାକ୍ସିନ୍‌ ‘ସ୍ପୁଟନିକ୍‌-ଭି’ର ବ୍ୟବହାର ଉପରେ ରୋକ୍‌ ଲଗାଇ ଦେଇଛି। ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶନିବାର ଏ ନେଇ ସୂଚନା ଜାରି କରିଛି। କିଛି ଦିନ ପୂର୍ବେ ହିଁ ପଡ଼ୋଶୀ ଦେଶ ଦକ୍ଷିଣ ଆଫ୍ରିକା ସ୍ପୁଟନିକ୍‌-ଭି ଭ୍ୟାକ୍ସିନ୍‌କୁ ନେଇ ଚିନ୍ତା ପ୍ରକଟ କରିଥିଲା। ଆଉ ଏବେ ନାମିବିୟା ଏହାର ବ୍ୟବହାର ଉପରେ ରୋକ୍‌ ଲଗାଇ ଦେଇଛି। କୁହାଯାଉଛି କି, ସ୍ପୁଟନିକ-ଭି ଭ୍ୟାକ୍ସିନ୍‌ ନେଇଥିବା ପୁରୁଷମାନଙ୍କ ମଧ୍ୟରେ ଏଚ୍‌ଆଇଭି ହେବାର ଆଶଙ୍କା ଅନେକ ଗୁଣା ବଢ଼ି ଯାଉଛି।

ହେଲେ ସେପଟେ ସ୍ପୁଟ୍‌ନିକ ଭ୍ୟାକ୍ସିନ୍‌କୁ ବିକଶିତ କରିଥିବା ଜମେଲିୟା ରିସର୍ଚ ଇନ୍‌ଷ୍ଟିଚ୍ୟୁଟ ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। ଇନ୍‌ଷ୍ଟିଚ୍ୟୁଟ କହିଛି କି, ନାମିବିୟାର ନିଷ୍ପତ୍ତି କୌଣସି ବୈଜ୍ଞାନିକ ପ୍ରମାଣ କିମ୍ବା ରିସର୍ଚ ଉପରେ ଆଧାରିତ ନାହିଁ। ଦକ୍ଷିଣ ଆଫ୍ରିକା ସ୍ୱାସ୍ଥ୍ୟ ଉତ୍ପାଦ ନିୟାମକ ‘SAHPRA’ ମଧ୍ୟ ନିଷ୍ପତ୍ତି ନେଇଥିଲା କି, ଏହା ନିଜ ଦେଶରେ ସ୍ପୁଟନିକ୍‌-ଭିର ଜରୁରୀ ବ୍ୟବହାରକୁ ମଞ୍ଜୁରୀ ଦେବ ନାହିଁ। ଏହା ପଛର କାରଣ ବିଷୟରେ ଡ୍ରଗ୍‌ ରେଗୁଲେଟର କହିଛି, କିଛି ରିସର୍ଚରୁ ଏହା ସ୍ପଷ୍ଟ ଜଣାପଡ଼ୁଛି କି, ସ୍ପୁଟନିକ-ଭିରେ ଏଡେନୋଭାଇରସ୍‌ ଟାଇପ୍‌ ୫ ଭେକ୍ଟର ରହିଛି, ଯାହାର ବ୍ୟବହାର ଦ୍ୱାରା ପୁରୁଷଙ୍କଠାରେ ଏଚ୍‌ଆଇଭି ଆଶଙ୍କା ବଢ଼ି ଯାଇଥାଏ। କହି ରଖୁଛୁ, ଦକ୍ଷିଣ ଆଫ୍ରିକା କରୋନା ମହାମାରୀରେ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଥିବା ବେଳେ ସେପଟେ ଏଠାରେ ଏଚ୍‌ଆଇଭି ସଂକ୍ରମିତ ଲୋକଙ୍କ ସଂଖ୍ୟା ବିଶ୍ୱରେ ସବୁଠାରୁ ଅଧିକ ରହିଛି।

ନାମିବିୟା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ବୟାନ ଜାରି କରି କହିଛି, ରୁଷୀୟ ଭ୍ୟାକ୍ସିନ୍‌ ବ୍ୟବହାରକୁ ବନ୍ଦ କରିବାର ତାଙ୍କର ଏହି ନିଷ୍ପତ୍ତି ସମସ୍ୟା ଆସିବା ପରେ ହିଁ ନିଆଯାଇଛି। ଟିକା ନିଲମ୍ବନ ସେ ପର୍ଯ୍ୟନ୍ତ ଚାଲିବ, ଯେ ପର୍ଯ୍ୟନ୍ତ ସ୍ପୁଟନିକ ଭି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଜରୁରିକାଳୀନ ଉପଯୋଗ ତାଲିକା ପ୍ରାପ୍ତ ନ କରି ପାରିଛି। ରୁଷୀୟ ନିର୍ମାତା ଜମେଲିୟା ସେଣ୍ଟର, ନାମିବିୟାର ଏହି ନିଷ୍ପତ୍ତିକୁ କିନ୍ତୁ ଖାରଜ କରି ଦେଇଛି। ସେଣ୍ଟରର କହିବା ହେଲା, ‘ବିଶ୍ୱ ସ୍ତରୀୟ ଉପଯୋଗରେ କୋଭିଡ୍‌-୧୯ ବିରୋଧରେ ସବୁଠାରୁ ସୁରକ୍ଷିତ ତଥା ସବୁଠାରୁ କୁଶଳ ଟିକା ମଧ୍ୟରୁ ସ୍ପୁଟନିକ-ଭି ଅନ୍ୟତମ। କାହିଁକିନା, ୨୫୦ କ୍ଲିନିକାଲ ପରୀକ୍ଷଣ ଏବଂ ୭୫ ଅନ୍ତର୍ଜାତୀୟ ପ୍ରକାଶନ ପ୍ରମାଣିତ କରି ଦେଖାଇ ସାରିଛନ୍ତି ଯେ ଏହି ଟିକା ଏକଦମ୍‌ ସୁରକ୍ଷିତ। କରୋନା ଭାଇରସ୍‌ ବିରୋଧରେ ଏହାକୁ ଉପଯୋଗ କରି ହେବ’। କହି ରଖୁଛୁ, ଭାରତରେ ମଧ୍ୟ ସ୍ପୁଟନିକ-ଭି ଭ୍ୟାକ୍ସିନକୁ ଜରୁରୀ ବ୍ୟବହାର ଲାଗି ଅନୁମତି ମିଳିଛି। ଯଦିଓ ଏ ପର୍ଯ୍ୟନ୍ତ ଏଠାରେ କୌଣସି HIV ଆଶଙ୍କା ସାମ୍ନାକୁ ଆସି ନାହିଁ।

Leave A Reply

Your email address will not be published.