କରୋନା ଭଳି ମହାମାରୀ ହେବ କି HMPV ଭାଇରସ ? କାହିଁକି ପିଲା ଏବଂ ବୟସ୍କଙ୍କୁ ହେଉଛି ବେଶୀ ସଂକ୍ରମଣ
କୋଭିଡ-୧୯ ଯୋଗୁଁ ସମଗ୍ର ବିଶ୍ବରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଚାଲିଯାଇଥିଲା । ଏହାର ପ୍ରାୟ ୪ ବର୍ଷ ପରେ ସମଗ୍ର ବିଶ୍ବ ମହାମାରୀରୁ ମୁକୁଳିଥିବା ବେଳେ ଆଉ ଏକ ନୂଆ ଚୀନ ଭାଇରସ ଚିନ୍ତାର ବିଷୟ ପାଲିଟିଛି । ଏହି ଭାଇରସର ନାମ ହ୍ୟୁମାନ ମେଟାନ୍ୟୁମୋଭାଇରସ (HMPV) । ଚୀନରେ HMPV ଭାଇରସ ଦ୍ରୁତ ଗତିରେ ବ୍ୟାପିବା ପରେ ଭାରତରେ ୩ଟି ମାମଲା ସାମ୍ନାକୁ ଆସିଛି । ଭାରତରେ ୩ଟି ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଦୁଇ ଘଣ୍ଟା ଭିତରେ ୩ଟି ଘଟଣା ଚିନ୍ତାର ବିଷୟ ପାଲିଟିଛି । ବୃଦ୍ଧ ଏବଂ ଶିଶୁମାନଙ୍କ ମଧ୍ୟରେ ଏହି ସଂକ୍ରମଣ ଶୀଘ୍ର ବ୍ୟାପିବାରେ ଲାଗିଛି । ବେଙ୍ଗାଲୁରୁରେ ଦୁଇଟି ମାମଲା ଦେଖାଦେବା ପରେ ଏବେ ଅହମ୍ମଦାବାଦରେ ଜଣେ ଶିଶୁ ସଂକ୍ରମିତ ହୋଇଛନ୍ତି ।
HMPV ଭାଇରସ କ’ଣ ?
ନୂଆ ଭାଇରସର ନାମ ହେଉଛି ହ୍ୟୁମାନ୍ ମେଟା ନ୍ୟୁମୋ ଭାଇରସ୍ (HMPV ) । ଏହା ହେଉଛି ଏକ ଆର୍ଏନ୍ଏ ଭାଇରସ । ଏହା ସ୍ୱାଇନ୍ ଫ୍ଲୁ ପରି ବ୍ୟାପିଥାଏ । HMPV ର ଲକ୍ଷଣ ମଧ୍ୟ କରୋନା ମହାମାରୀ ଭଳି । ଏହାର ଲକ୍ଷଣ ହେଉଛି କାଶ, ଜ୍ୱର, ନାକ ସଂକ୍ରମଣ, ଗଳା ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ ସମସ୍ୟା ଦେଖାଇଦେଇଥିାଏ । ଦୁଇ ବର୍ଷରୁ କମ୍ ପିଲାମାନେ, ବୃଦ୍ଧ ଏବଂ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତିଥିବା ଲୋକେ ଏହାଦ୍ବାରା ଅଧିକ ପ୍ରଭାବିତ ହୋଇଥାନ୍ତି । ଆଜ୍ମା ଏବଂ ଫୁସଫୁସ ରୋଗୀଙ୍କଠାରେ ଏହି ସଂକ୍ରମଣ ଶୀଘ୍ର ବ୍ୟାପିଥାଏ ।
HMPV ଭାଇରସର ଲକ୍ଷଣ :
ରୋଗୀଙ୍କ ଠାରେ କରୋନା ପରି ଲକ୍ଷଣ ଦେଖାଦିଏ । ଉଚ୍ଚ ଜ୍ୱର ଏବଂ କାଶ, ଶ୍ୱାସକ୍ରିୟାରେ ଅସୁବିଧା, ଫୁସଫୁସ ସଂକ୍ରମଣ, ନାକ ସଂକ୍ରମଣ, ଗଳାରେ ସମସ୍ୟା, ରୋଗୀ ସଂସ୍ପର୍ଶରେ ଆସିଲେ ବ୍ୟାପିଥାଏ ।
କୋଭିଡ-୧୯ ସହିତ ସମାନ :
ଏହି ଭାଇରସ କରୋନା ଅପେକ୍ଷା ଅଧିକ ବିପଜ୍ଜନକ ବୋଲି କୁହାଯାଉଛି । HMPV ଓ କୋଭିଡ-୧୯ ଭିତରେ ବହୁତ ସମାନ ଲକ୍ଷଣ ରହିଛି । ଉଭୟ ଭାଇରସ କାଶ, ଜ୍ବର, ବାନ୍ତି, ଗଳା ଯନ୍ତ୍ରଣା ଏବଂ ଶ୍ବାସକ୍ରିୟାରେ ଅସୁବିଧା କରୁଛି । ଛୋଟ ପିଲା ଓ ବୟସ୍କଙ୍କ ପାଇଁ ମାରାତ୍ମକ ହୋଇପାରେ । ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ବ୍ୟକ୍ତିଙ୍କ ଠାରେ ଏହି ଭାଇରସ ଗମ୍ଭୀର ରୋଗର କାରଣ ହୋଇପାରେ ।
କେଉଁମାନେ ପ୍ରଭାବିତ ହୁଅନ୍ତି :
ଏହାର ପ୍ରଭାବ ଛୋଟ ପିଲାମାନଙ୍କ ଉପରେ ଅଧିକ ରହିଥାଏ । ୨ ବର୍ଷରୁ କମ୍ ବୟସ୍କ ପିଲାମାନେ ଅଧିକ ପ୍ରଭାବିତ ହୁଅନ୍ତି । ଆଜ୍ମା ଏବଂ ଶ୍ୱାସ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କର ଅଧିକ ବିପଦ ରହିଛି । ବୟସ୍କମାନେ ମଧ୍ୟ ସଂକ୍ରମିତ ହୋଇଥାନ୍ତି । ଏମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଯୋଗୁଁ ଭାଇରସ ତୁରନ୍ତ ଆକ୍ରାନ୍ତ କରିଥାଏ । ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ଲୋକମାନେ ଶିକାର ହେଉଛନ୍ତି ।
HMPV ଭାଇରସ ଠାରୁ କିପରି ଦୂରେଇ ରହିବେ ?
ସାବୁନରେ ବାରମ୍ବାର ହାତ ଧୁଅନ୍ତୁ
ସାନିଟାଇଜର ବ୍ୟବହାର କରନ୍ତୁ
ରୋଗୀମାନଙ୍କ ସଂସ୍ପର୍ଶରେ ଆସିବାରୁ ଦୂରେଇ ରୁହନ୍ତୁ
ମାସ୍କ ବ୍ୟବହାର କରନ୍ତୁ
ଚୀନରେ ଏହି ଭାଇରସ ବଢିବାରେ ଲାଗିଛି । ଦେଶର ଅନେକ ରାଜ୍ୟର ଲୋକମାନେ ସଂକ୍ରମିତ ହୋଇଛନ୍ତି । ଚୀନ ଡାକ୍ତରଖାନା ବାହାରେ ରୋଗୀଙ୍କ ଧାଡି ବଢ଼ିବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଶିଶୁ ୱାର୍ଡରେ ସର୍ବାଧିକ ସଂଖ୍ୟକ ରୋଗୀ ଅଛନ୍ତି । ପୁଣି ଲକଡାଉନ୍ ଫେରିବା ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି ।
ସୂଚନାଯୋଗ୍ୟ, ଏହି ଭୂତାଣୁ ପ୍ରଥମେ ନେଦରଲ୍ୟାଣ୍ଡରେ ୨୦୦୧ରେ ଚିହ୍ନଟ ହୋଇଥିଲା । ଶ୍ବାସକ୍ରିୟା ରୋଗରେ ଆକ୍ରାନ୍ତ ପିଲାମାନଙ୍କ ନମୁନାରେ ଏହି ଭୂତାଣୁ ନିଶ୍ଚିତ କରାଯାଇଥିଲା । ଏହି ଭୂତାଣୁ ସବୁ ଋତୁରେ ବାୟୁରେ ଭାସି ବୁଲୁଥାଏ । ସଂକ୍ରମିତ ଲୋକମାନଙ୍କର କାଶ ଏବଂ ଛିଙ୍କିବା ଦ୍ୱାରା ଏହା ବ୍ୟାପିଥାଏ । ଶୀତଦିନେ ଏହା ଅଧିକ ବ୍ୟାପିବାର ବିପଦ ରହିଥାଏ ।