ସ୍ପାଇସ ଜେଟ ବିମାନର କକ୍‌ପିଟରେ ଗୁଜିଆ ଖାଇବା ପଡିଲା ମହଙ୍ଗା, ଦୁଇ ପାଇଲଟଙ୍କ ଉଡାଣ ସ୍ଥଗିତ

ବିମାନର କକ୍‌ପିଟରେ ଗୁଜିଆ ଓ କଫି ଖାଇବା ଦୁଇ ପାଇଲଟଙ୍କୁ ପଡିଲା ମହଙ୍ଗା । ଦୁହିଁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ସ୍ପାଇସଜେଟ ଏୟାରଲାଇନ୍ସ । କିଛି ଦିନ ପାଇଁ ଦୁଇ ପାଇଲଟଙ୍କ ଉଡାଣକୁ ସ୍ଥଗିତ ରଖିଲା ସ୍ପାଇସଜେଟ ।

ସ୍ପାଇସ୍‌ ଜେଟ୍‌ ବିମାନର କକ୍ପିଟ୍ ଭିତରେ ଗୁଜିଆ ଖାଉଥିବାରୁ ୨ ଜଣ ପାଇଲଟଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି। କକ୍ପିଟ୍ ମଧ୍ୟରେ ଖାଦ୍ୟ ଖାଇବାକୁ ବାରଣ କରାଯାଇଥିବା ବେଳେ ଦୁହେଁ ହୋଲି ଦିନ କକ୍‌ପିଟର ଡେକର ସେଣ୍ଟର ଉପରେ କଫି ମଗ୍‌ ସହିତ ଗୁଜିଆ ରଖି ଖାଉଥିବାର ଦେଖିବାକୁ ମିଳିଥିଲା । ଫଳରେ ଦିଲ୍ଲୀରୁ ଗୌହ୍ବାଟୀ ଯାଉଥିବା ବିମାନରେ ଥିବା ଏହି ୨ ଜଣ ପାଇଲଟଙ୍କୁ ଓହ୍ଲାଇ ଦେଇଛି କମ୍ପାନୀ। ଦୁଇ ପାଇଲଟଙ୍କ ଉଡାଣ ସ୍ଥଗିତ ରଖିବା ସହିତ ମାମଲାର ଯାଞ୍ଚ କରାଯାଉଛି ।

ଖବର ମୁତାବକ, ମାର୍ଚ୍ଚ ୮ ତାରିଖରେ ଦିଲ୍ଲୀରୁ ଗୌହ୍ବାଟୀ ଉଡ଼ାଣ କରୁଥିବା ବେଳେ ଏପରି ଘଟିବା ପରେ ବିମାନ ସଂସ୍ଥାର କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ଏହି ଘଟଣାକୁ ନେଇ ସ୍ପାଇସ୍ଜେଟ୍ ବିମାନ ପରିବହନ ସଂସ୍ଥାର ମୁଖପାତ୍ର କହିଛନ୍ତି ଯେ, କକ୍‌ପିଟ ଭିତରେ ଖାଦ୍ୟ ଖାଇବାକୁ କମ୍ପାନୀ ସମସ୍ତଙ୍କୁ କଡ଼ାକଡ଼ି ଭାବେ ବାରଣ କରିଛି। ଏହି ନୀତିକୁ ସମସ୍ତ ବିମାନ କର୍ମଚାରୀ ପାଳନ କରିଥାନ୍ତି। ତେବେ କନସୋଲ ଉପରେ ରଖାଯାଇଥିବା ଗ୍ଲାସରୁ ଗୋଟେ ବୁନ୍ଦା ତଳେ ପଡିଥିଲେ ବିମାନର ସୁରକ୍ଷା ଉପରେ ପ୍ରଭାବ ପଡିଥାନ୍ତା । ସମସ୍ତ ଘଟଣାର ପୂରା ତଦନ୍ତ ଶେଷ ହେବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ପର୍ଯ୍ୟନ୍ତ ଦୁଇ ଅଭିଯୁକ୍ତ ପାଇଲଟ୍ ବିମାନ ଉଡାଇ ପାରିବେ ନାହିଁ।

ତେବେ ୩୭ ହଜାର ଉଚ୍ଚରେ ବିମାନ ଉଡୁଥିବା ବେଳେ ଏମାନେ ଗୁଜିଆ ଆଉ କଫି ଖାଇଥିଲେ । ଫଟୋ ଭାଇରଲ ହେବା ପରେ ଡିଜିସିଏ ପାଇଲଟଙ୍କୁ ତୁରନ୍ତ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଏୟାର ଲାଇନ୍ସକୁ ନିର୍ଦ୍ଦେଶ ଦେଇଥିଲେ ।