ଲଦାଖରେ ଗଠନ ହେଲା ୫ଟି ନୂଆ ଜିଲ୍ଲା, ଘୋଷଣା କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ଭାରତର କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଗଠନ ହୋଇଛି ୫ଟି ନୂଆ ଜିଲ୍ଲା । ଏହି ଜିଲ୍ଲାଗୁଡ଼ିକ ହେଲା, ଜାନସ୍କର, ଦ୍ରାସ୍, ଶାମ୍, ନୁବ୍ରା ଓ ଚାଙ୍ଗ୍ଥାଙ୍ଗ୍ । ଏ ନେଇ ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଗୃହମନ୍ତ୍ରୀ ଅମିତ ଶାହ ନିଜ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସୟୋର କରି ଏହା ବିଷୟରେ ସୂଚନା ଦେଇଛନ୍ତି ।
ଗୃହମନ୍ତ୍ରୀ ଲଦାଖରେ ୫ଟି ନୂଆ ଜିଲ୍ଲା ଗଠନ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ‘ଏକ୍ସ’ରେ ଲେଖିଛନ୍ତି ଯେ ‘ଏକ ବିକଶିତ ତଥା ସମୃଦ୍ଧ ଲଦାଖ ଗଠନର ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଅଧୀନରେ ଗୃହ ମନ୍ତ୍ରଣାଳୟ କେନ୍ଦ୍ରଶାସିତ ଅଞ୍ଚଳରେ ପାଞ୍ଚଟି ନୂତନ ଜିଲ୍ଲା ଗଠନ କରିବାକୁ ନିଷ୍ପତ୍ତି ନେଇଛି । ଏହି ନୂତନ ଜିଲ୍ଲାଗୁଡ଼ିକ ହେବ, ଜାନସ୍କର, ଦ୍ରାସ୍, ଶାମ୍, ନୁବ୍ରା ଏବଂ ଚାଙ୍ଗଥାଙ୍ଗ’ ।
ସେ ଏହା ମଧ୍ୟ କହିଛନ୍ତି ଯେ ‘ଦେଶର ପ୍ରତ୍ୟେକ କୋଣରେ ଶାସନକୁ ମଜବୁତ କରି ତୃଣମୂଳ ସ୍ତରରେ ଲୋକଙ୍କୁ ଏହାର ଲାଭ ମିଳିବ । ମୋଦି ସରକାର ଲଦାଖର ଲୋକଙ୍କ ପାଇଁ ଅବସର ସୃଷ୍ଟି କରିବାକୁ ପ୍ରତିବଦ୍ଧ’ ।
କହି ରଖୁଛୁ ଯେ ଭାରତ ସରକାର ୨୦୧୯ ଅଗଷ୍ଟ ୫ରେ ଧାରା ୩୭୦ର କ୍ଷମତା ରଦ୍ଦ କରିବା ପରେ ଜମ୍ମୁ-କାଶ୍ମୀର ଏବଂ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଦିଆଯାଇଥିଲା । ଏହାପରେ ଅକ୍ଟୋବର ୩୧ରୁ ଜମ୍ମୁ-କାଶ୍ମୀର ଏବଂ ଲଦାଖ ଦୁଇଟି ଅଲଗା ରାଜ୍ୟ ହୋଇଥିଲା । ଏହାସହିତ ସଂସଦ ଦ୍ୱାରା ଗଠିତ ଅନେକ ଆଇନ ରାଜ୍ୟରେ ଲାଗୁ ହୋଇଥିଲା । ଏହା ଅଧୀନରେ ଜମ୍ମୁ-କାଶ୍ମୀରରେ ବିଧାନସଭା ହେବ ଏବଂ ଲଦାଖ ହେଉଛି ଏକ କେନ୍ଦ୍ରଶାସିତ ଅଞ୍ଚଳ ।