ମହାକୁମ୍ଭକୁ ସ୍ନାନ ପାଇଁ ଯାଉଥିବା ବେଳେ କାର୍ କୁ ଧକ୍କା ଦେଲା ଟ୍ରକ, ୬ ମୃତ, ୩ ଗୁରୁତର

ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡିଭାଇଡର ପାର ହେଉଥିବା ଟ୍ରକଟି ଏକ କାର ସହିତ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଷ୍ଟମର୍ଟମ ପରେ ମୃତଦେହ ଗୁଡ଼ିକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।
ଖବର ମୁତାବକ, ସୋନଭଦ୍ରର ହାତୀ ନାଲା ଥାନା ଅଞ୍ଚଳର ରାନିତାଲି ନିକଟରେ ଏହି ଘଟଣା ଘଟିଛି । ଛତିଶଗଡ଼ରୁ ଆସୁଥିବା ଟ୍ରକ ଏବଂ କାର ମଧ୍ୟରେ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ କାରଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୩ ଜଣ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଶୁଣିବାକୁ ମିଳିଥିଲା ।
ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଟ୍ରକଟି ହଠାତ୍ ଲେନ୍ ପରିବର୍ତ୍ତନ କରି ଡିଭାଇଡର୍ ପାର ହେଉଥିବା ସମୟରେ ସାମ୍ନାରୁ ଆସୁଥିବା କାର ସହିତ ଧକ୍କା ହୋଇଥିଲା । ତେବେ ଏମାନେ ସମସ୍ତେ ମହାକୁମ୍ଭକୁ ସ୍ନାନ ପାଇଁ ଯାଇଥିଲେ ବୋଲି କୁହାଯାଉଛି । ସମସ୍ତ ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ ଆହତଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିଛି । ସ୍ଥାନୀୟ ପ୍ରଶାସନ ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଆଶ୍ବାସନା ଦେଇଛି । କାରରେ ଥିବା ଲୋକଙ୍କ ପରିବାର ସହିତ ଯୋଗାଯୋଗ କରାଯାଇଛି । ପୋଲିସ ଘଟଣାର ଯାଞ୍ଚ କରି ଦୁର୍ଘଟଣାର କାରଣ ଜାଣିବାକୁ ଚେଷ୍ଟା କରୁଛି ।
ସୂଚନାଯୋଗ୍ୟ, ମହାକୁମ୍ଭରୁ ସ୍ନାନ କରି ଫେରୁଥିବା ଶ୍ରଦ୍ଧାଳୁଙ୍କ ବସ୍ ନାସିକ-ସୁରତ ହାଇୱେରେ ସାପୁତାରା ଘାଟ ନିକଟରେ ୨୦୦ ଫୁଟ ଗଭୀର ଖାଇକୁ ଖସିପଡିଥିଲା । ଫଳରେ ୭ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଥିଲେ । ବସ୍ ସାପୁତାରାର ମାଲେଗାଁ ଘାଟି ନିକଟରେ ଓଲଟି ପଡିଛି । ବସ୍ ଯାତ୍ରୀ ମହାକୁମ୍ଭରୁ ସ୍ନାନ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାରେ ୭ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୫ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ତେବେ ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଯାତ୍ରୀ ମଧ୍ୟପ୍ରଦେଶର ବୋଲି ଜଣାପଡିଛି ।
Also Read : ମହାକୁମ୍ଭରୁ ଫେରୁଥିବା ବେଳେ ୨୦୦ ଫୁଟ ଖାଇକୁ ଖସିଲା ବସ୍, ୭ ମୃତ, ୧୫ ଆହତ