ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଶିଶୁ ଚୋରି ହେଲେ ଡାକ୍ତରଖାନା ଲାଇସେନ୍ସ ହେବ ରଦ୍ଦ

ଶିଶୁ ଚୋରି ମାମଲାରେ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ରାଜ୍ୟ ସରକାର ନବଜାତ ଚୋରି ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଉଚିତ । ଯେଉଁ ହସପିଟାଲରୁ ପିଲା ଚୋରି ହେଉଛି, ପ୍ରଥମେ ସେହି ହସପିଟାଲର ଲାଇସେନ୍ସ ରଦ୍ଦ ହେବା ଜରୁରୀ ।
ଉତ୍ତରପ୍ରଦେଶର ଏକ ଡାକ୍ତରଖାନାରୁ ଶିଶୁ ଚୋରି ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ଆର ମହାଦେବନଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଶିଶୁ ଚୋରି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ଏଭଳି ଅପରାଧକୁ ରୋକିବାକୁ କଠୋର ପଦକ୍ଷେପ ଗ୍ରହଣ କରାଯିବା ଉଚିତ ।
ଶିଶୁ ଚୋରି ମାମଲାରେ ତଳ କୋର୍ଟ ୬ମାସ ମଧ୍ୟରେ ଟ୍ରାଏଲ ଶେଷ କରିବେ । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଡାକ୍ତରଖାନାର ଲାଇସେନ୍ସ ରଦ୍ଦ କରିବାକୁ ପଦକ୍ଷେପ ନେବେ ବୋଲି ରାୟ ଦେଇଛନ୍ତି ଦୁଇଜଣିଆ ଖଣ୍ଡପୀଠ । ଦେଶରେ କଠୋର ଆଇନ ସତ୍ତ୍ବେ ଶିଶୁ ଚୋରି ଓ ବଳପୂର୍ବକ ଶିଶୁ ଶ୍ରମିକ ନିୟୋଜନ ବୃଦ୍ଧି ପାଉଛି ।
୨୦୨୦ ସୁଦ୍ଧା ଦେଶର ୩୬ହଜାର ଶିଶୁଙ୍କ ପତ୍ତା ମିଳୁନଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର । ଶିଶୁପୁତ୍ର ଇଚ୍ଛା କରି, ଉତ୍ତରପ୍ରଦେଶର ଏକ ଦମ୍ପତ୍ତି ଶିଶୁ ଚୋରି ରାକେଟ ଠାରୁ ୪ଲକ୍ଷ ଟଙ୍କାରେ ଶିଶୁ କିଣିଥିଲେ । ଏଭଳି ଅପରାଧୀ ସମାଜ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିଥାନ୍ତି ବୋଲି କହିଛନ୍ତି ସୁପ୍ରିମ କୋର୍ଟ ।
ସୁପ୍ରିମକୋର୍ଟ ଶିଶୁ ଚୋରି ମାମଲାରେ ଭାରତୀୟ ଇନଷ୍ଟିଚ୍ୟୁଟ ତରଫରୁ ଦିଆଯାଇଥିବା ପରାମର୍ଶକୁ ନିଜ ନିଷ୍ପତ୍ତିରେ ସ୍ଥାନ ଦେଇ ସମସ୍ତ ରାଜ୍ୟ ସରକାରଙ୍କୁ ଭଲଭାବେ ତଦାରଖ କରିବାକୁ କହିଛନ୍ତି । କୋର୍ଟ କହିଛନ୍ତି, ଯଦି କୌଣସି ମହିଳା ପିଲା ଜନ୍ମ ଦେବାକୁ ହସପିଟାଲ ଆସିଥାନ୍ତି, ଆଉ ସେଠାରୁ ନବଜାତ ଚୋରି ହୁଏ, ତେବେ ପ୍ରଥମ ସେହି ହସପିଟାଲର ଲାଇସେନ୍ସ ରଦ୍ଦ ହେବା ଉଚିତ । ଏହାଦ୍ବାରା ପିଲା ଚୋରି ଘଟଣାରେ କିଛି ଲଗାମ୍ ଲଗାଇହେବ । ହସପିଟାଲରେ ନବଜାତ ପିଲାଙ୍କ ସୁରକ୍ଷାକୁ ନେଇ ସମସ୍ତ ମାତାପିତା ସତର୍କ ରହିବାକୁ ମଧ୍ୟ କୋର୍ଟ କହିଛନ୍ତି ।
Also Read : ପଶ୍ଚିମବଙ୍ଗ ଯାଉଥିବା ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥରମାଡ଼, ଭାଙ୍ଗିଲା ଝରକା, ଯାତ୍ରୀ ଭୟଭୀତ