ମହାକୁମ୍ଭରେ ପୁଣି ଅଘଟଣ : ଫାଟିଲା ହଟ୍ ଏୟାର ବେଲୁନ୍, ୬ ଶ୍ରଦ୍ଧାଳୁ ଆହତ

ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ପୁଣି ଏକ ବଡ଼ ଅଘଟଣ ଘଟିଛି । ସୋମବାର ଦିନ ଏକ ହିଲିୟମ ଗ୍ୟାସ ଭର୍ତ୍ତି ହଟ୍ ଏୟାର ବେଲୁନ ଫାଟିବା ଯୋଗୁଁ ଏଥିରେ ବସିଥିବା ୬ ଜଣ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ମହାକୁମ୍ଭ ମେଳାର ସେକ୍ଟର ୨୦ର ଅଖାଡା ମାର୍ଗ ନିକଟରେ ହୋଇଛି । ସୋମବାର ଦିନ ବସନ୍ତ ପଞ୍ଚମୀ ଅବସରରେ ଶାହି ସ୍ନାନ ସମୟରେ ହିଲିୟମ ଭର୍ତ୍ତି ହଟ୍ ଏୟାର ବେଲୁନ ଫାଟିଥିଲା । ହଟ୍ ଏୟାର ବେଲୁନ ଉଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏହାର ବାସ୍କେଟରେ ବସିଥିବା ସମସ୍ତ ୬ ଜଣ  ଲୋକ ପୋଡି ହୋଇଯାଇଥିଲେ ।

ଆହତ ହୋଇଥିବା ସମସ୍ତ ଲୋକଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଜରିଆରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏମାନଙ୍କ ମଧ୍ୟରେ ଜଣକ ଅବସ୍ଥା ଗୁରୁତର ରହିଛି । ଏଥିରେ ଥିବା ସମସ୍ତ ଲୋକଙ୍କ ପରିଚୟ ମିଳିଛି । ଯଦି ହଟ୍ ଏୟାର ବେଲୁନ ଅଧିକ ଉଚ୍ଚରେ ଫାଟିଥାନ୍ତା, ତେବେ ଆଉ ଏକ ବଡ଼ ଅଘଟଣ ହୋଇଥାନ୍ତା ।

ସୂଚନାଯୋଗ୍ୟ, ପ୍ରୟାଗରାଜ ମହାକୁମ୍ଭରେ ହୋଇଥିବା ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ୫୦ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୌଣସି ପ୍ରକାର ବିଶେଷ ପାସ ଆଉ କୁମ୍ଭମେଳାରେ କାମ କରିବ ନାହିଁ । ସେହିପରି ମେଳା ପରିସରକୁ ନୋ-ଭେହିକିଲ ଜୋନ ଘୋଷଣା କରାଯାଇଛି । କୌଣସି ପ୍ରକାର ଗାଡି ମେଳା କ୍ଷେତ୍ର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ । ପ୍ରୟାଗରାଜରେ ୱାନ ୱେ ମାର୍ଗ ବ୍ୟବସ୍ଥା ଲାଗୁ କରାଯାଇଛି ।  ୪ ଫେବ୍ରୁଆରୀ ପର୍ଯ୍ୟନ୍ତ ସହରରେ ୪ ଚକିଆ ଯାନର ଏଣ୍ଟ୍ରି ସମ୍ପୂର୍ଣ୍ଣ ନିଷେଧ । ପ୍ରବେଶ କରୁଥିବା ରାସ୍ତାରେ ପାରାମିଲିଟାରୀ ଫୋର୍ସ ଯବାନ ନିୟୋଜିତ କରାଯାଇଛି । ଏହାସହିତ କାଳୀ ଏବଂ ତ୍ରିବେଣୀ ମାର୍ଗ ଛଡା ସଙ୍ଗମ ଅଞ୍ଚଳରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଆଗକୁ କିଛି ଏଭଳି ସ୍ଥିତି ନ ଉପୁଜୁ, ସେଥିପାଇଁ ସ୍ନାନ ଘାଟରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Also Read : ମହାକୁମ୍ଭ ମେଳାକୁ ସଂଯୋଗ କରୁଥିବା ପ୍ରବେଶ ପଥରେ ରହିବ ପାରାମିଲିଟାରୀ ଫୋର୍ସ, ବସନ୍ତ ପଞ୍ଚମୀ ପୂର୍ବରୁ ଏଭଳି ସୁରକ୍ଷା…

You might also like