ମାଡ଼ି ଆସୁଛି ‘ଦାନା’, ଜାଣନ୍ତୁ କିଏ କରିଛି ଏହି ନାମକରଣ

ମାଡ଼ି ଆସୁଛି ‘ଦାନା’ । ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବାତ୍ୟା ଦାନା । ସମୁଦ୍ରରେ ପବନର ବେଗ ୧୦୦ରୁ ୧୨୦ ଆକଳନ ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଏହା ଘନୀଭୂତ ହେବ । ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ ।

ସମ୍ଭାବ୍ୟ ବାତ୍ୟା ‘ଦାନା’ର ନାମକରଣ କରିଛି ଆରବ ଦେଶ କାତାର । ଆରବ ଭାଷାରେ ଦାନା ଶବ୍ଦର ଅର୍ଥ ହେଉଛି ‘ସୁନ୍ଦର’ ଓ ‘ମୂଲବାନ ମୋତି’ । ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଲେ ଏହାର ନାମ ‘ଦାନା’ ରହିବ ବୋଲି କୁହାଯାଉଛି । ଉତ୍ତର ଭାରତ ମହାସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ର ନାମ ତାଲିକା ଅନୁସାରେ, ଏହାର ନାମ ଦାନା ରହିବ ।

ଉତ୍ତର ଭାରତ ମହାସାଗରରେ WMOର ଘୂର୍ଣ୍ଣିବାତ୍ୟା ନାମକରଣ ପ୍ରଣାଳୀରେ ଅଂଶଗ୍ରହଣ କରିଛନ୍ତି ୧୪ଟି ଦେଶ । ସେଥିରୁ କାତାର ‘ଦାନା’ର ନାମକରଣ କରିଥିଲା । ଏହା ଅଞ୍ଚଳର ସାଂସ୍କୃତିକ ମହତ୍ତ୍ଵର ପ୍ରତିବିମ୍ବ । ସ୍ଥାନୀୟ ଶବ୍ଦ ଅନୁସାରେ ଘୂର୍ଣ୍ଣିବାତ୍ୟା ନାମକରଣର ଉଦ୍ଦେଶ୍ୟ ହେଉଛି ସଚେତନତା ସୃଷ୍ଟି କରିବା । ଏହି ବାତ୍ୟା ପ୍ରଭାବିତ ଦେଶଗୁଡ଼ିକ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିଥାଏ ।

୨୩ ତାରିଖ ବେଳକୁ ଘୂର୍ଣ୍ଣିବଳୟ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ବହିବ । ୨୩ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବାତ୍ୟା ଜନିତ ବର୍ଷା ଆରମ୍ଭ ହେବ ।

ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏହାର ପ୍ରଭାବ ଦେଖାଦେବ । ୨୩, ୨୪ ଓ ୨୫ ତିନି ଦିନ ଧରି ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ । ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ଅଧିକ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ୩୦ ସେମିରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

You might also like