ସାତ ମାସରେ ଫଇସଲା, ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ଶୁଣାଇଲେ ପୋକ୍‌ସୋ କୋର୍ଟ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଜଣେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅପରାଧର ବିଚାର କରି ପୋକ୍‌ସୋ କୋର୍ଟ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ରାୟ ଶୁଣାଇଛନ୍ତି । ଏଥିସହିତ ଅଭିଯୁକ୍ତକୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ମାତ୍ର ୭ ମାସ ମଧ୍ୟରେ କୋର୍ଟ ଏହି ମାମଲାର ରାୟ ଶୁଣାଇଛନ୍ତି । ଏହି ପୁରା ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍‌ କୋର୍ଟରେ ଚାଲିଥିଲା ବେଳେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲା।

ଅଭିଯୋଗ ଅନୁଯାୟୀ, ବାଳମୁକୁନ୍ଦ ଆଲିଆସ ଗୋବିନ୍ଦ ୨୦୨୦ ମସିହା ଅଗଷ୍ଟ ମାସ ୬ ତାରିଖରେ ଜଣେ ୧୧ ବର୍ଷ ବୟସ୍କା ଝିଅ ଓ ତା’ର ଭଉଣୀକୁ ବିସ୍କୁଟ ଓ ଟ୍ରଫି ଦେବା ବାହାନାରେ ବାହାରକୁ ନେଇଥିଲା । ଅଭିଯୁକ୍ତ ତା’ର ଭଉଣୀକୁ ଘରକୁ ପଠାଇ ଦେଇ ଉକ୍ତ ନାବାଳିକାକୁ ନିକଟସ୍ଥ ଜମିକୁ ନେଇଯାଇଥିଲା । ସେଠାରେ ନାବାଳିକାକୁ ଦୁଷ୍କର୍ମ କରିବା ପରେ ଝିଅଟି ଘରେ କହିଦେବା ଭାବି ତାକୁ ହତ୍ୟା କରିଥିଲା । ଝିଅଟିର ପରିଚୟ ଲୁଚାଇବାକୁ ତା’ର ମୁହଁରେ ଏସିଡ୍‌ ପକାଇ ନଷ୍ଟ କରିଦେଇଥିଲା ।

ଝିଅଟି ଘରକୁ ନଫେରିବାରୁ ପିତା-ମାତା ଥାନାରେ ଏତଲା ଦେଇଥିଲେ । ହେଲେ ଦୁଇଦିନ ପରେ ଗାଁ ଲୋକେ ଝିଅର ମୃତ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଝିଅଟିର ଭଉଣୀ ଓ ବିସ୍କୁଟ ନେଇଥିବା ଦୋକାନୀର ବକ୍ତବ୍ୟ ଅନୁଯାୟୀ ଏକ ମାମଲା ଦାୟର ହୋଇଥିଲା । ଝଅର ବ୍ୟବଚ୍ଛେଦ ରିପୋର୍ଟ ଓ ଅନ୍ୟାନ୍ୟ ସାକ୍ଷ ଓ ପ୍ରମାଣ ଆଧାରରେ କୋର୍ଟ ବାଳମକୁନ୍ଦକୁ ମୃତ୍ୟୁ ଦଣ୍ଡାଦେଶ ରାୟ ଶୁଣାଇଛନ୍ତି ।

Leave A Reply

Your email address will not be published.