ପ୍ଲାଷ୍ଟିକ୍ ବ୍ୟାଗ୍ ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୨୦ ଦମକଳ ଗାଡ଼ି ନିୟୋଜିତ

ଉତ୍ତର ପ୍ରଦେଶର ନୋଏଡାରେ ଭୟାବହ ଅଗ୍ନିକାଣ୍ଡ । ଏଠାରେ ପ୍ଲାଷ୍ଟିକ୍ ବ୍ୟାଗ୍ ତିଆରି ଏକ କାରଖାନାରେ ସୋମବାର ଭୀଷଣ ନିଆଁ ଲାଗିଛି । ନିଆଁର ପ୍ରକୋପ ଏତେ ଯେ ପୂରା ଅଞ୍ଚଳବାସୀ ଏହାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୨୦ ଦମକଳ ଗାଡ଼ି ପହଞ୍ଚିଛି । କିନ୍ତୁ ନିଆଁ କିପରି ଲାଗିଲା, ତାହାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ନୋଏଡାର ଫେଜ୍-୨ରେ ଏହି ଅଗ୍ନିକାଣ୍ଡ ଘଟିଛି । ଦେଖୁ ଦେଖୁ ନିଆଁ ପୂରା ବିଲ୍ଡିଂକୁ ବ୍ୟାପିଯାଇଥିଲା । ଘଟଣା ପରେ କାରଖାନାରେ କାମ କରୁଥିବା ଲୋକମାନେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ଏହାପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ୨୦ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହେବାର ଖବର ନାହିଁ ।

କାରଖାନାରେ ନିଆଁ ଲାଗିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ।

ଏହିପରି ଶନିବାର ଚେକ୍ ଗଣରାଜ୍ୟର ଉତ୍ତର ଭାଗରେ ଥିବା ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଥିଲେ । ଆହତ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଏକ ଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତ କରି ନିଆଯାଇଥିଲା । ଏଥିରେ ୬୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ସାମିଲ ହୋଇ ନିଆଁ ଲିଭାଇଥିଲେ । ଅଗ୍ନିକାଣ୍ଡ ବେଳେ ରିଲିଫ୍ ଏବଂ ଉଦ୍ଧାରକାରୀ ଦଳ ପ୍ରାୟ ୩୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଆହତ ଲୋକମାନଙ୍କୁ ମୋଷ୍ଟ ଏବଂ ଆଖାପାଖ ସହରର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ରବିବାର ସକାଳେ ଘଟଣାସ୍ଥଳ ପରିଦର୍ଶନ ପରେ ଗୃହମନ୍ତ୍ରୀ ଭିଟ୍ ରାକୁସାନ କହିଥିଲେ, ରେଷ୍ଟୁରାଣ୍ଟ ଏବଂ ନିକଟସ୍ଥ ଆପାର୍ଟମେଣ୍ଟରୁ ୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ପୋଲିସ ମାମଲାର ତଦନ୍ତ କରୁଛି ।

You might also like