ଅଶାନ୍ତ ମଧ୍ୟପ୍ରାଚ୍ୟ । ବଜାରରେ ଯୁଦ୍ଧ ଭୂକମ୍ପ । ଇସ୍ରାଏଲ ଉପରେ ଇରାନର ମିସାଇଲ ମାଡ଼ ପରେ ଏବେ ମଧ୍ୟପ୍ରାଚ୍ୟରେ ଅଶାନ୍ତ ପରିବେଶ । ଯାହାକୁ ନେଇ ବିଶ୍ୱରେ ଚିନ୍ତା ବଢିବାରେ ଲାଗିଛି । ଆଗକୁ ଘମାଘୋଟ ଯୁଦ୍ଧ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ତୈଳ ବଜାରରେ ନିଆଁ ଲାଗିଥିବାବେଳେ ଉପରମୁହାଁ ହେଉଛି ସୁନା । ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ୨୪ କ୍ୟାରେଟ ସୁନା ମୂଲ୍ୟ ୭୮ହଜାର ପାର୍ କରିଛି । ଯୁଦ୍ଧ ଘନେଇ ଥିବାରୁ ଏହା ବିଶ୍ୱର ତୈଳ ବଜାରରୁ କ୍ଷତିଗସ୍ତ କରିବ ବୋଲି ଆଶଙ୍କା କରାଯାଉଛି । ତୈଳ ଯୋଗାଣକାରୀ ଦେଶ ସମୂହ ଓପିଇସିର ସକ୍ରିୟ ସଦସ୍ୟ ଇରାନ ଏବେ ଯୁଦ୍ଧମୁଖା ହୋଇଥିବାରୁ ଏହା ତେଲ ଯୋଗାଣକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞ ଆଶଙ୍କା କରୁଛନ୍ତି । ଅଶୋଧିତ ତୈଳ ଯୋଗାଣ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ମାତ୍ର ଏହି ଆକ୍ରମଣ ପରେ ତୈଳ ଯୋଗାଣ ଶୃଙ୍ଖଳରେ ବ୍ୟାଘାତ ନେଇ ଆଶଙ୍କା ବଢିଯାଇଛି। ଏହା ପ୍ରଭାବରେ ଭାରତୀୟ ସେୟାର ମାର୍କେଟରେ ଦେଖାଦେଇଛି ବଡ଼ ପତ୍ତନ ।
ଗତକାଲି ଗୋଟିଏ ଦିନରେ ୧୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି ନିବେଶକ । ଆଦାନି ସମେତ ୧୪ଟି ଲିଷ୍ଚେଡ ଭାରତୀୟ କମ୍ପାନି ଅଛନ୍ତି, ଯେଉଁମାନଙ୍କର ଇସ୍ରାଏଲରେ ଉପସ୍ଥିତ ଅଛନ୍ତି । ଏଥିମଧ୍ୟରୁ ଅଧିକାଂଶ କମ୍ପାନିଗୁଡ଼ିକ ଉପରେ ପ୍ରଭାବ ସୀମିତ ରହିପାରେ । କିନ୍ତୁ ଅନିଶ୍ଚିତତା ମଧ୍ୟରେ କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳୁଛି ।
ଏପଟେ ଯୁଦ୍ଧ ତେଜିଲେ ମଧ୍ୟପ୍ରାଚ୍ୟରୁ ତୈଳ ଯୋଗାଣ ପ୍ରଭାବିତ ହେବା ଆଶଙ୍କା ରହିଛି । ଇରାନ ବିଶ୍ବର ସର୍ବବୃହତ ତୈଳ ଉତ୍ପାଦନକାରୀ। ଇରାନର ତୈଳ ଇନଷ୍ଟଲେଶନ ଗୁଡ଼ିକ ଉପରେ ଯଦି ଇସ୍ରାଏଲ ହମଲା କରେ ତେବେ ବିଶ୍ବ ତୈଳ ବଜାରରେ ବଡ଼ ଧରଣର ଅସନ୍ତୁଳନ ଦେଖିବାକୁ ମିଳିପାରେ ।