କରୋନାର କରୁଣ ଚିତ୍ର! ହୋମ୍ ଆଇସୋଲେସନରେ ସ୍ୱାମୀ ଓ ପୁଅର ମୃତ୍ୟୁ, ୪ ଦିନ ଧରି ଶବ ସହ ଥିଲା ଦିବ୍ୟାଙ୍ଗ ପତ୍ନୀ

ସାରା ଦେଶରେ କରୋନା ସ୍ଥିତି ସାଂଘାତିକ ରହିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ପ୍ରାଣ ହରାଉଛନ୍ତି। ଇତିମଧ୍ୟରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଛାତି ଥରା ମାମଲା ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତ ସ୍ୱାମୀ ଓ ପୁଅର ମୃତ ଦେହ ପାଖରେ ୪ ଦିନ ଧରି ବସିରହିଥିବା ଜଣେ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ। ଉଭୟ ହୋମ ଆଇସୋଲେସନରେ ଥିବା ବେଳେ ପ୍ରାଣ ହରାଇଥିଲେ। କିନ୍ତୁ ମହିଳା ଜଣକ ଦିବ୍ୟାଙ୍ଗ ହୋଇଥିବାରୁ ଏନେଇ କାହାକୁ କହିପାରିନଥିଲେ। ଶବ ପଚି ଦୁର୍ଗନ୍ଧ ହେବା ପରେ ପଡ଼ୋଶୀମାନେ ଏନେଇ ପୋଲିସକୁ ଖବର ଦେଇଥିଲେ। ପରେ ପୂରା ମାମଲା ସାମ୍ନାକୁ ଆସିଛି।

ଟଣା ଘଟିଛି କୃଷ୍ଣାନଗରର ଏଲଡିଏ କଲୋନୀ ସେକ୍ଟର ସି-୧ରେ। ଏଠାକାର ବାସିନ୍ଦା ଅରବିନ୍ଦ ଗୋୟଲ (୬୦) ପୁଅ ଆଶିଷ ଗୋୟଲ (୨୫) ସହ ହୋମ ଆଇସୋଲେସନରେ ଥିଲେ। ଘରେ ଅରବିନ୍ଦଙ୍କ ଦିବ୍ୟାଙ୍ଗ ପତ୍ନୀ ମଧ୍ୟ ଥିଲେ। କଲୋନୀବାସୀଙ୍କ କହିବାନୁଯାୟୀ, ୪ ଦିନ ହେବ ଅରବିନ୍ଦଙ୍କ ଘରୁ କେହି ବାହାରକୁ ବାହାରିନଥିଲେ। ୪ ଦିନ ପୂର୍ବରୁ ସେମାନେ ଅରବିନ୍ଦଙ୍କୁ ବାହାରେ ଠିଆ ହୋଇଥିବା ଦେଖିଥିଲେ। ପରେ ସେମାନେ ଆଇସୋଲେସନରେ ଥିବା ବି ପଡ଼ୋଶୀ ଜାଣିନଥିଲେ। ପରେ କରୋନା ଯୋଗୁ ସମସ୍ତେ ନିଜ ନିଜ ଘରେ ଥିବାରୁ ଏଥିପ୍ରତି ଦୃଷ୍ଟି ଦେଇନଥିଲେ। ଶନିବାର ପଚା ଗନ୍ଧ ଆସିବାରୁ ସେମାନେ ପୋଲିସରେ ଖବର ଦେଇଥିଲେ।

ଏନେଇ ଅରବିନ୍ଦଙ୍କ ଦିବ୍ୟାଙ୍ଗ ପତ୍ନୀ କହିଛନ୍ତି, ଆଇସୋଲେସନରେ ଥିବା ବେଳେ ହିଁ ପୁଅ ଓ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ଏସବୁ ଦେଖି ସେ ବହୁତ ଚିଲ୍ଲାଇ ଥିଲେ, ଚିତ୍କାର କରିଥିଲେ। କିନ୍ତୁ କେହି ତାଙ୍କ ସ୍ୱର ଶୁଣିପାରିନଥିଲେ। ଚାଲିବାକୁ ଅସମର୍ଥ ହୋଇଥିବାରୁ ସେ ବାହାରକୁ ବି ଆସି କାହାକୁ ଏନେଇ କହିପାରିନଥିଲେ।

ତେବେ ଖବର ପାଇ ପୋଲିସ ପହଞ୍ଚି ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.