ନୂଆ ଘରେ ପୂଜା କରି କଲେ ଗୃହ ପ୍ରବେଶ ହେଲେ ଭୋଗ କରି ପାରିଲେ ନାହିଁ ସ୍ୱାମୀ ସ୍ତ୍ରୀ

ଟିକେ ଟିକେ କଥାରେ ଏମିତି ଉଜୁଡ଼ିଯାଏ ପୂରା ପରିବାର । ସ୍ୱାମୀ ସ୍ତ୍ରୀ ଉଭୟ ଖୁବ୍‌ ମେହେନତ କରି ସଞ୍ଚୟ କଲେ । ସେଥିରେ ନୂଆ ଘର ତିଆରି କଲେ । ହେଲେ ସେ ଘରେ ରହି ପାରିଲେ ନାହିଁ । ଗୃହ ପ୍ରବେଶ କରିବାର ଗୋଟିଏ ଦିନ ନପୂରୁଣୁ ସେମାନଙ୍କ ଭିତରେ କଳି ଝଗଡ଼ା ହେଲା ଆଉ ଦୁହେଁ ଆତ୍ମହତ୍ୟା କରି ଜୀବନକୁ ଶେଷ କରିଦେଲେ ।
ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତର ପ୍ରଦେଶ ଲକ୍ଷ୍ନୌର ଗୋମତୀ ନଗର ଅଞ୍ଚଳରେ । ସାଧନା ମିଶ୍ର ନାମକ ଜଣେ ମହିଳା ତାଙ୍କ ନୂଆ ଘଷର ଫାଶୀ ଲଗାଇ ଝୁଲି ପଡ଼ିଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କର ସ୍ୱାମୀ ଶ୍ୟାମ କିଶୋର ମିଶ୍ର ମଧ୍ୟ ଫାଶୀ ଲଗାଇ ଆତ୍ମହତ୍ୟା କରି ଦେଲେ । ସାଧନାଙ୍କୁ ମାତ୍ର ୩୬ ଓ ଶ୍ୟାମଙ୍କୁ ୩୮ବର୍ଷ ବୟସ । ଏହି ଘଟଣା ପରିବାର ଲୋକଙ୍କ ନଜରରେ ପଡ଼ିବା ପରେ ସେମାନେ ପୋଲିସ୍‌କୁ ଖବର ଦେଇଥିଲେ ।

ତେବେ ଯାହା ସୂଚନା ମିଳିଛି, ଗୋଣ୍ଡାର ବାସିନ୍ଦା ଶ୍ୟାମ କିଶୋର ଗଙ୍ଗୋତ୍ରୀ ବିହାରରେ ଏକ ନୂଆ ଘର ତିଆରି କରିଥିଲେ । ସେଠି ସେ ଏବଂ ପତ୍ନୀ ସାଧନାଙ୍କ ସମେତ ପୁଅ ଅବିନାଶ ଓ ଝିଅ ଆଦିତି ମଧ୍ୟ ରହୁଥିଲେ । ଅବଶ୍ୟ ଏହି ଘର ତିଆରିରେ ଶ୍ୟାମଙ୍କ ଭାଇ ରାମ କିଶୋର ଓ ବ୍ରଜ କିଶୋରଙ୍କ ସହଯୋଗ ମଧ୍ୟ ଥିଲା । ସମସ୍ତେ ମିଳି ମିଶି ରହୁଥିଲେ । ଗତ ମଙ୍ଗଳବାର ଦିନ ଗୃହ ପ୍ରବେଶ ପୂଜା କରାଯାଇଥିଲା । ଦିନରେ ପୂଜା ସରିବା ପରେ ରାତିରେ ସମସ୍ତେ ନୂଆ ଘରକୁ ଚାଲି ଆସିଥିଲେ । ସେଠି ଏକ ଭୋଜିର ଆୟୋଜନ କରାଯାଇଥିଲା । ପୁଣି ଅର୍କେଷ୍ଟ୍ରା ବ୍ୟବସ୍ଥାରେ ଗୀତ ଚାଲିଥିଲା । ସମସ୍ତେ ଖୁସିରେ ଝୁମି ଉଠିଥିଲେ । ହେଲେ ଏହି ଅର୍କେଷ୍ଟ୍ରା ଯୋଗୁଁ ଘଟିଲା ଅଘଟଣ ।

ଅର୍କେଷ୍ଟ୍ରାରେ ଆସିଥିବା ଜଣେ ଗାୟିକା ସହ ଶ୍ୟାମ କିଶୋର ମଦ ପିଇ ନାଚିବା ଆରମ୍ଭ କରି ଦେଲେ । ସ୍ତ୍ରୀ ସାଧନାଙ୍କୁ ଏ କଥା ଭଲ ଲାଗିଲା ନାହିଁ । ଏତେ ଲୋକଙ୍କ ଆଗରେ ଏଭଳି ଉଚ୍ଛଙ୍ଖଳ ଆଚରଣକୁ ସେ ବିରୋଧ କଲେ । ପୁଣି ସ୍ୱାମୀଙ୍କୁ ଡାକୁ ଘର ଭିତରେ ଏକଥା କହିଲେ । ହେଲେ ଶ୍ୟାମ କିଶୋର ଶୁଣିଲେ ନାହିଁ । ପୁଣି ଯାଇ ସେ ଝିଅ ସହ ନାଚିବାକୁ ଲାଗିଲେ । ଦୁଇ ଦୁଇଥର ସ୍ୱାମୀକୁ ବୁଝାଇବା ସତ୍ତ୍ୱେ ସେ ବିଫଳ ହେଲେ। ଏହି ଘଟଣାକୁ ନେଇ ବିଳମ୍ବିତ ରାତିରେ ଦୁଇଜଣଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହେଲା । ଏହା ପରେ ସାଧନା ଚରମ ନିଷ୍ପତ୍ତି ନେଲେ । ତାଙ୍କ ରୁମ୍‌ରେ ସେତେବେଳ ଥିବା ପୁଅ ଝିଅଙ୍କୁ ସେ ଜବରଦସ୍ତ ଶୁଆଇ ଦେଇ ନିଜ ବେକରେ ଫାଶି ଲଗାଇ ଦେଲେ । ଏ କଥା ଜାଣି ପାରିବା ପରେ ଅତ୍ୟନ୍ତ ଅନୁତାପ କରି ସ୍ୱାମୀ ଶ୍ୟାମ କିଶୋର ବି ଆତ୍ମହତ୍ୟା କରିଦେଲେ । ଯାହାଫଳରେ ନୂଆ ଘର ପାଇଁ ଖୁସି ଆନନ୍ଦରେ ମଉଜ କରୁଥିବା ପରିବାରରେ ଶୋକର ଛାୟା ଖେଳିଗଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.